ଅନୁଗୋଳ: ଶବ ସଂରକ୍ଷଣ ଗୃହରୁ ମୃତ ଶିଶୁ କନ୍ୟାର ଆଖି ଗାଏବ ଘଟଣାର ଆରମ୍ଭ ହୋଇଛି ତଦନ୍ତ । ଘଟଣା ପଛର ସତ ଜାଣିବା ପାଇଁ ଶନିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସତ ଜାଣିବା ପାଇଁ ମୁଖ୍ୟ ଚିକିତ୍ସାଧିକାରୀ ଓ ଚିକିତ୍ସାଳୟର କର୍ମଚାରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଅନ୍ୟପଟେ ଘଟଣା ପରେ ଅନ୍ୟ ଏକ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ନ ରଖି ରାତି ତମାମ ବାହାରେ ପକାଇ ଦେଇଥିଲେ କର୍ତ୍ତୁପକ୍ଷ । ଏହି ଖବର ପଦାରେ ପଡିବା ପରେ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ସେପଟେ ଶବ ଗୃହ କାହା ଦାୟିତ୍ବରେ ତାକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ଖାନା କର୍ତ୍ତୃପକ୍ଷ ।
ଶୁକ୍ରବାର ଘଟଣା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଏବେ ଆଇନ କାନୁନର କଥା କହିଛନ୍ତି । ଶବ ସଂରକ୍ଷଣ ଗୃହର ଦାୟିତ୍ଵ ପୋଲିସର । ଏଣୁ ଏବେ ଠାରୁ ପୋଲିସକୁ ଶବ ସଂରକ୍ଷଣ ଗୃହର ଚାବି ହସ୍ତାନ୍ତର କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଏହା ପୋଲିସର କାମ, ତେବେ ଏତେ ଦିନ ଧରି ଡାକ୍ତରଖାନା କର୍ତ୍ତୃପକ୍ଷ କାହିଁକି ଏହି ଦାୟିତ୍ଵ ନେଇଥିଲେ । ତେବେ ଏହି ଘଟଣାରୁ ମୃତଦେହକୁ ଉଚିତ ସମ୍ମାନ ଦେବାରେ ତ୍ରୁଟି ରହିଥିବା ଜଣାପଡିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ