ଅନୁଗୋଳ: ସମାଜ ସେବା ପାଇଁ ଇଞ୍ଜିନିୟରିଂ ପାଠ ଛାଡିଲେ । ଆଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଲେ । ଏବେ ରାଜନୀତିରେ ପାଦ ଥାପିଛନ୍ତି। ସରପଞ୍ଚ ହୋଇ ଅଞ୍ଚଳବାସୀଙ୍କ ସେବା କରିବାକୁ ମନସ୍ଥ କରିଛନ୍ତି । ଏଭଳି ଜଣେ ପ୍ରାର୍ଥୀ ହେଉଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତର ଗିରିଶ ଚନ୍ଦ୍ର ପ୍ରଧାନ। ବୟସ ପାଖାପାଖି ୬୦ ହେଲାଣି । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ବ । ଜଳ ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ପାଇଁ ସବୁବେଳେ ତତ୍ପର ଗିରିଶ ।
ଗିରିଶ ଏକାଧାରରେ ଜଣେ ଭଲ ଚାଷୀ, ସମାଜସେବୀ ନିଜ ଅଞ୍ଚଳର ଜଳ ଜମି ଓ ଜଙ୍ଗଲ ବଞ୍ଚାଅ ଆନ୍ଦୋଳନର ପୁରୋଧା । ନିଜ ପଞ୍ଚାୟତ ଶିମିଳିପାଳର ବିକାଶ ପାଇଁ ସରପଞ୍ଚ ଭାବେ ନିର୍ବାଚନ ଲଢୁଛନ୍ତି । ଅଞ୍ଚଳ ବାସୀଙ୍କ କହିବା ମୁତବକ ଯାହାର ଯାହା ଅସୁବିଧା ହେଲେ ଗିରିଶ ପହଞ୍ଚି ସହାୟତାର ହାତ ବଢ଼େଇ ଦିଅନ୍ତି।
ଏହାବି ପଢନ୍ତୁ : Panchayat Election: ଗୋଟିଏ ପଞ୍ଚାୟତରେ ଲଢୁଛନ୍ତି 27 ସରପଞ୍ଚ ପ୍ରାର୍ଥୀ
ଦିନ ରାତି ପରିଶ୍ରମ କରି ନିଜ କ୍ଷେତରେ ସୁନା ଫଳାନ୍ତି । ଯାହା ଉତ୍ପନ୍ନ ହୁଏ ଅଭାବୀ ଲୋକଙ୍କୁ ବାଣ୍ଟି ଦିଅନ୍ତି । ୧୯୯୩ରେ ସେ ବ୍ରହ୍ମପୁର ସ୍ଥିତ ଏକ ଇଞ୍ଜିନିଅରିଂ କଲେଜରେ ପାଠ ପଢିଛନ୍ତି । କିନ୍ତୁ କେବଳ ଜନ ସେବା କରିବାକୁ ଚାକିରି କଲେ ନାହିଁ । ନିଜ ଜୀବନକୁ ଅନ୍ୟର ସେବାରେ ନିୟୋଜିତ କରିଛନ୍ତି । ଏଥର ନିଜ ପଞ୍ଚାୟତରେ ସରପଞ୍ଚ ଭାବେ ବିଜୟୀ ହୋଇ ଲୋକଙ୍କ ପାଇଁ ଆହୁରି କିଛି କରିବାକୁ ସ୍ୱପ୍ନ ଦେଖୁଛନ୍ତି । କୃଷି କାର୍ଯ୍ୟ ଓ ସମାଜସେବା କାର୍ଯ୍ୟରୁ କିଛି ସମୟ ବାହାର କରି ଘର ଘର ବୁଲି ପ୍ରଚାର କରୁଛନ୍ତି । ତାଙ୍କ ପ୍ରତି ଲୋକଙ୍କର ରହିଛି ବିପୁଳ ସମର୍ଥନ । ଏଭଳି ଜଣେ ବିରଳ ପ୍ରାର୍ଥୀ ସରପଞ୍ଚ ହେଲେ ନିଶ୍ଚିତ ଭାବେ ପଞ୍ଚାୟତ ତଥା ଲୋକଙ୍କର ଉନ୍ନତି ହୋଇ ପାରିବ ବୋଲି କହିଛନ୍ତି ଅନେକ ପଞ୍ଚାୟତବାସୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ