ଅନୁଗୋଳ: ପାହାଡିଆ ଅଞ୍ଚଳରେ ମୁନ୍ଦାଏ ପାଣି ପାଇଁ କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ଡହଳ ବିକଳ ହୋଇଥିବା ଦେଖିବାକୁ ମିଳିିଛି । ଶହ ଶହ ଏକର ଜମି ଥାଇ ମଧ୍ୟ ପାଣି ବିନା ପଡିଆ ପଡୁଛି । ହେଲେ ଏବେ ଆଉ ସେ ସମସ୍ୟା ନାହିଁ । ଦୂର ହୋଇଛି ଜଳକଷ୍ଚ । ଡହ ଡ଼ହ ଖରାଦିନେ ପୋଖରୀରେ ପାଣି ଭର୍ତ୍ତି ହୋଇଛି । ପ୍ରାୟ ସବୁ ପୋଖରୀରେ ୪/୫ଫୁଟ ପାଣି ରହୁଛି । ପାଣିକୁ ବ୍ୟବହାର କରି ଚାଷୀ ସବୁ ପ୍ରକାର ଫସଲ କରିବା ସହ ମାଛ ଚାଷ କରି ଲାଭବାନ ହେଉଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଜଙ୍ଗଲ ପାହାଡ଼ ଘେରା ଟାଇଁସି ପଞ୍ଚାୟତରେ । ଲୋକେ ବର୍ଷା ଜଳକୁ ସଂରକ୍ଷଣ କରି ହୋଇପାରିଛନ୍ତି ଲାଭବାନ ।
ଅନୁଗୋଳ ବ୍ଲକର ଟାଇଁସି ପଞ୍ଚାୟତ। ସାତକୋଶିଆ ଅଭୟାରଣ୍ୟ ଭିତରେ ଗାଁଟି ଥିବାରୁ ଚାରିପଟେ ଘଞ୍ଚ ଜଙ୍ଗଲ ଓ ପାହାଡ଼। ତେଣୁ ବର୍ଷ ସାରା ସେଠାରେ ଜଳ ସମସ୍ୟା ଲାଗି ରହିଥାଏ । ବିଶେଷ କରି ଖରା ଦିନେ ଲୋକେ ଗାଧୋଇବା ଏବଂ ନିଜ ନିଜର ଗୃହପାଳିତ ପଶୁମାନଙ୍କୁ ପାଣି ମୁନ୍ଦିଏ ଦେବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥାଏ । ଭୂତଳ ଜଳସ୍ତର ତଳକୁ ଖସି ଯାଇଥିବାରୁ ଯେତେ କୂଅ ନଳକୂଅ ଖୋଳିଲେ କିଛି ଲାଭ ହେଉ ନାହିଁ । ବର୍ଷା ଦିନେ ପାହାଡ଼ରୁ ପର୍ଯ୍ୟାପ୍ତ ପାଣି ବହି ଯାଇଥାଏ । ହେଲେ ତାହା କୌଣସି କାମରେ ଲାଗି ପାରି ନଥାଏ । ଏହାକୁ ଦେଖି କିଛି ଲୋକ ଚିନ୍ତା କଲେ କିଭଳି ସେହି ଜଳକୁ ସଂରକ୍ଷଣ କରି ରଖିବେ। ସେମାନେ ସରକାରଙ୍କ ଜଳ ବିଭାଜିକା କାର୍ଯ୍ୟକ୍ରମ ଜରିଆରେ ବିଭାଗୀୟ ଅଧିକାରୀଙ୍କ ସହାୟତା ନେଇ ପାହାଡ଼ ତଳେ ବିଭିନ୍ନ ଜାଗାରେ ଛୋଟ ଛୋଟ ପୋଖରୀ ଖନନ କଲେ। ଏବଂ ସଫଲ ହେଲେ। ବହି ଯାଉଥିବା ବର୍ଷା ଜଳ ସେହି ପୋଖରୀରେ ସଂରକ୍ଷିତ ହୋଇ ରହିଲା । ଯାହା ଲୋକଙ୍କ ଜଳ ସମସ୍ୟା ଦୂର କରିବାରେ ସହାୟକ ହେଲା ।
ଚଳିତ ବର୍ଷ ଜିଲ୍ଲାରେ ଆଦୌ ବର୍ଷା ନାହିଁ। ତାପମାତ୍ରା ୪୫ ଡିଗ୍ରୀ ରହୁଛି । ଏଭଳି ସ୍ଥିତିରେ ମଧ୍ୟ ସେହି ପୋଖରୀ ଗୁଡିକରେ ଏବେ ୪/୫ଫୁଟ ପାଣି ଅଛି । ସେହି ପାଣିକୁ ବ୍ୟବହାର କରି ଅନେକ ଚାଷୀ ଧାନ, ପନିପରିବା ଓ ଡାଲି ଜାତୀୟ ଫସଲ କରୁଛନ୍ତି। ଲୋକମାନେ ନିଜ ଦୈନନ୍ଦିନ ବ୍ୟବହାରରେ ମଧ୍ୟ ପାଣିକୁ ବ୍ୟବହାର କରୁଛନ୍ତି । ବନ୍ୟଜନ୍ତୁ ଏବଂ ଗୃହ ପାଳିତ ପଶୁମାନେ ସେଠାରୁ ପାଣି ପିଇ ତୃଷା ମେଣ୍ଟାଇ ପାରୁଛନ୍ତି । ମାଛ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ଚାଷୀ । ଟାଇଁସି ପଞ୍ଚାୟତରେ ବର୍ତମାନ ସୁଦ୍ଧା ୧୭ଟି ପୋଖରୀ ଖନନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୧୦୦ ପୋଖରୀ ଖୋଳା ଯିବାର କାର୍ଯ୍ୟକ୍ରମ ରହିଛି । ସଫଳ ଜଳ ସଂରକ୍ଷଣ ପାଇଁ ଅଧିକରୁ ଅଧିକ ପୋଖରୀ ଖନନ ପାଇଁ ଚାଷୀଙ୍କ ମନରେ ଆଗ୍ରହ ବଢୁଛି ।
ବିଗତ ଦୁଇ ବର୍ଷର ରେକର୍ଡ କହୁଛି ଅନୁଗୁଳ ଜିଲ୍ଲାରେ ପ୍ରାୟ ୧୫ଶହ ପୋଖରୀ ଖୋଳା ଯାଇଛି । ଗୋଟିଏ ପୋଖରୀରେ ପ୍ରାୟ ୧୨ ଶହ ଘନ ମିଟର ପାଣି ସଂରକ୍ଷଣ କରାଯାଇ ପାରୁଛି। ତେଣୁ ସେହି ହିସାବରେ ଦେଖିବାକୁ ଗଲେ ବର୍ତ୍ତମାନ ସୁଦ୍ଧା ୧୮ଲକ୍ଷ ଘନ ମିଟର ପାଣି ସଂରକ୍ଷଣ କରାଯାଇ ପାରିଛି। ୫୦୦ହେକ୍ଟରରୁ ଅଧିକ ଜଳସେଚିତ ଜମି ସୃଷ୍ଟି କରାଯାଇ ପାରିଛି। ଦୁଇ ହଜାରରୁ ଅଧିକ ଚାଷୀ ଉପକୃତ ହୋଇପାରୁଛନ୍ତି । ଯେଉଁଠି ଦିନେ ଦୁବ କଅଁଲୁ ନଥିଲା ସେଠାରେ ବିଭିନ୍ନ ସମୟରେ ସବୁଜିମାରେ ପୁରି ଉଠୁଛି । ଜଳ ବିଭାଜିକା ବିଭାଗୀୟ ଅଧିକାରୀଙ୍କ ସହାୟତା ଏବଂ ଲୋକଙ୍କ ଆଗ୍ରହ ଓ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଚାଷୀ ମୁହଁରେ ହସ ଫୁଟିଛି ।
କିଛି ବର୍ଷ ହେଲା ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ହେଉଛି । ଆବଶ୍ୟକ ନଥିବା ବେଳେ ପ୍ରବଳ ବର୍ଷା ହେଉଛି। ତେଣୁ ସେହି ବର୍ଷା ଜଳ କୌଣସି କାମରେ ନଲାଗି ବହି ଯାଉଥିଲା । ଟାଇଁସି ପଞ୍ଚାୟତର ଚାଷୀମାନେ ବର୍ଷା ଜଳ ସଂରକ୍ଷଣ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ