ଅନୁଗୋଳ: ପାରଦ ଏବେ ଉପର ମୁହାଁ । ବାତ୍ୟା ଆମ୍ଫାନ ପର ଠୁ ହଠାତ୍ ବୃଦ୍ଧି ପାଇଛି ତାପମାତ୍ରା । ଗତ ଚାରିଦିନ ହେବ ଅନୁଗୋଳ ଜିଲାରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି । ଅସହ୍ୟ ତାତି ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଜିଲ୍ଲାର ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ଅତିକ୍ରମ କରିଥିବା ବେଳେ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ରହୁଛି ।
ବାତ୍ୟା ଆମ୍ଫାନ ପରଠାରୁ ଲୋକଙ୍କୁ ଡ଼ରାଉଛି ଏବେ ତାତିର ପ୍ରକୋପ । ତାପମାତ୍ର ବୃଦ୍ଧି ଯୋଗୁଁରେ ଏବେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗୋଟେ ପଟେ ତାଲା ବନ୍ଦ ମଧ୍ୟରେ ଲୋକେ ଘରେ ରହୁଥିବା ବେଳେ ଏବେ ବଢିଥିବା ତାପମାତ୍ରା ଲୋକଙ୍କ ଦୁର୍ଦଶାକୁ ବଢ଼ାଇ ଦେଇଛି । ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଗତ 3 ଦିନ ହେଲା ଜିଲାର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି। ଗତ 23 ତାରିଖ ତାପମାତ୍ରା 41ଡିଗ୍ରୀ ରହିଥିବା ବେଳେ 24 ତାରିଖ 42.5 ଡିଗ୍ରୀ ରହିଥିଲା । ସୋମବାର ତାପମାତ୍ରା ମଧ୍ୟ ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । ସକାଳ 10ଟା ବାଜିଲେ ମୁଣ୍ଡଫଟା ଖରା ଯୋଗୁଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି ।
ସାଧାରଣ ଗରିବ ଲୋକଟି ଏହି ତାତିରେ ହୋଇପଡୁଛି ଅସ୍ତବ୍ୟସ୍ତ । ଗରମରେ ଏବେ କଲବଲ ହେଉଛନ୍ତି ସମସ୍ତେ । ସେପଟେ କୋରନା ମୁକାବିଲାରେ ଲାଗିଥିବା ପ୍ରଶାସନ ଏଥର ଗ୍ରୀଷ୍ମ ପ୍ରଭାବର ମୁକାବିଲା କଥା ସମ୍ପୂର୍ଣ୍ଣ ଭୁଲି ଯାଇଛି । ସହରରେ ନା ଅଛି ଜଳଛତ୍ର ନା ଯାତ୍ରୀମାନଙ୍କ ପାଇଁ ଆଶ୍ରୟସ୍ଥଳ । ତେବେ କେବଳ ଦିନ କାହିଁକି ରାତିରେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଖରା ଓ ଗରମ ଅଧିକ ହେଉଥିବା ଜଣା ପଡ଼ିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ