ଅନୁଗୋଳ: ଅନୁଗୋଳରେ ବର୍ଷା ବିତ୍ପାତ ଜାରି ରହିଛି । ବର୍ଷା ଯୋଗୁଁ ୫୫ ନଂ ଜାତୀୟ ରାଜପଥ ଉପରେ ଆଣ୍ଠୁଏରୁ ଅଧିକ ପାଣି ଚାଲୁଥିବା ବେଳେ, ତେଲଟାଙ୍କି ମଧ୍ୟ ବୁଡ଼ି ଯାଇଛି। କେତେକ ଲୋକଙ୍କ ଘରେ ମଧ୍ୟ ପାଣି ପଶି ରହିଛି ।
ସକାଳୁ ତୁହାକୁ ତୁହା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ୫୫ ନମ୍ବର ଜାତୀୟ ରାଜପଥର କୁଲାଡ଼ ନିକଟରେ ଏକ ପେଟ୍ରୋଲ ପମ୍ପ ଭିତରେ ପ୍ରାୟ ୪ଫୁଟ ପାଣି ଜମି ରହିଛି। କୁଲାଡ଼ ଗାଁର ୩ଟି ପରିବାରର ଘର ଭିତରେ ପାଣି ପଶି ଯାଇଛି। ଫଳରେ ସେମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।
ଦମକଳ ବାହିନୀ ପହଞ୍ଚି ପମ୍ପ ଲଗାଇ ଘର ଭିତରୁ ଜଳ ନିଷ୍କାସନ କରୁଛନ୍ତି। କିନ୍ତୁ, ମୂଷଳ ଧାରାରେ ବର୍ଷା ହେଉଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଜିଲ୍ଲାର ସବୁ ଅଞ୍ଚଳରେ ଜୋର ବର୍ଷା ହେଉଥିବାରୁ ଦମକଳ ବାହିନୀ ସଜାଗ ରହିଛନ୍ତି। ଅନୁଗୋଳ ଜିଲ୍ଲାକୁ ରେଡ଼ଆଲର୍ଟ ଥିବା ବେଳେ ବର୍ଷାର ପରିମାଣ ଆହୁରି ବଢିବାର ସମ୍ଭାବନା ରହିଛି । ଫଳରେ ତଳିଆ ଅଞ୍ଚଳରେ ପାଣି ପଶିବା ଭୟ ମଧ୍ୟ ରହୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ