ଅନୁଗୋଳ: ନିଯୁକ୍ତି ଦାବିରେ ନାଲକୋ କ୍ଷତିଗ୍ରସ୍ତ ପ୍ରଜା ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ। ନାଲକୋ ଯୋଗୁଁ ଜମି ହରାଇଥିବା ପ୍ରାୟ 39ଟି ଗାଁର ପ୍ରତିନିଧିମାନେ ଏହି ଅନଶନରେ ବସିଛନ୍ତି ।
କ୍ଷତିଗ୍ରସ୍ତ ପ୍ରଜା ମହାସଂଘର କହିବା କଥା ହେଲା ଜମି ହରାଇଥିବା ପ୍ରଜାମାନଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ଦେବାକୁ ଗତ ଆରପିଡ଼ିଏସି ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ନାଲକୋ କର୍ତ୍ତୃପକ୍ଷଙ୍କ ନକାରାତ୍ମକ ମନୋଭାବ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଜମି ହରାଇଥିବା ପରିବାରର ଉତ୍ତରାଧିକାରୀ ପରିବର୍ତ୍ତନ ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥିଲା, କିନ୍ତୁ ନାଲକୋ କର୍ତ୍ତୃପକ୍ଷ ତାହା କରୁନାହାଁନ୍ତି । ଫଳରେ ନିଯୁକ୍ତି ପାଇଁ ବର୍ଷ ବର୍ଷ ଧରି ଅଶାୟୀମାନେ ଅପେକ୍ଷା କରି ବସିଛନ୍ତି।
ବୈଠକର ନିଷ୍ପତ୍ତି ଅନୁସାରେ ନାଲକୋ ପାରିପାର୍ଶ୍ବିକ ଅଞ୍ଚଳବାସୀଙ୍କୁ ମେଡ଼ିକାଲ ସୁବିଧା ମିଳୁନାହିଁ । ଆସ୍ ପଣ୍ଡ ବୃଦ୍ଧି ଯୋଗୁଁ ପାଉଁଶ ଉଡି ପରିବେଶ ପ୍ରଦୂଷଣ ହେଉଛି । ଲୋକେ ନାନା ପ୍ରକାର ରୋଗରେ ପଡୁଛନ୍ତି । ଏହାସତ୍ତ୍ବେ ନାଲକୋ କୌଣସି କ୍ଷେତ୍ରରେ ଦୃଷ୍ଟିଗୋଚର ଦେଉନି । ବାଧ୍ୟ ହୋଇ ମହାସଂଘ ପକ୍ଷରୁ ଅମରଣ ଅନଶନ ଆରମ୍ଭ କରିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅନଶନକାରୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ