ଅନୁଗୋଳ: ଆସନ୍ତାକାଲି (ରବିବାର) ଠାରୁ ଅଙ୍ଗାରବନ୍ଧ ଠାରେ ଥିବା ପ୍ରସିଦ୍ଧ ମହିମା ଗାଦିରେ ଆରମ୍ଭ ହେବ ଆନ୍ତର୍ଜାତିକ ମହିମା ଉତ୍ସବ । ଏନେଇ ଏବେ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ମହିମା ଗାଦି । ରବିବାର ଆରମ୍ଭ ହେବାକୁ ଥିବା ଉତ୍ସବରେ ବାଂଲାଦେଶ ଓ ନେପାଳର ବହୁ କଳାକାର ସାମିଲ ହେବେ । ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ସଙ୍ଗୀତରେ ମୁଖରିତ ହେବ ମହିମା ଧାମ ।
ତିନି ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ହେବାକୁ ଥିବା ବେଳେ ଆସନ୍ତା 7 ତାରିଖରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଏନେଇ ଗତକାଲି(ଶୁକ୍ରବାର) ଅନୁଗୋଳ ଉପଜିଲ୍ଲାପାଳ ବୈତୁରା ଦୀପ ଏବଂ ମହିମା ଧାମର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
୩ ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଉପ ବାଚସ୍ପତି ସାମିଲ ହେବା ନେଇ ସୂଚନା ମିଳିଛି । ସେହିପରି ଦ୍ଵିତୀୟ ଓ ୩ୟ ଦିନରେ ଡିଆଇଜି, ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ପଦାଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଉତ୍ସବରେ ବାଂଲାଦେଶ, ନେପାଳ ସମେତ କଲିକତା ଓ ରାଜ୍ୟ ବାହାରର ବଛା ବଛା କଳାକାରମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଉତ୍ସବ ଦେଖିବାକୁ ଶହ ଶହ ଲୋକଙ୍କ ସମାଗମ ହେବା ନେଇ ଆଶା କରାଯାଉଛି ।
ଏନେଇ ଉପ ଜିଲ୍ଲାପାଳ କହିଛନ୍ତି ଯେ, ''ଏହା ହେଉଛି ଓଡିଶା ପ୍ରସିଦ୍ଧ ମହିମା ମେଳା । ଆଗକୁ ଥିବା ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ହେବ । ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ହେବ । ପ୍ରଥମ ଦିନ ରାଜନୈତିକ ଦଳର ନେତା ଅତିଥି ଭାବେ ଯୋଗ ଦେବେ ଓ ଦ୍ବିତୀୟ ତୃତୀୟ ଦିନରେ ପ୍ରଶାସନିକ ଅଧିକାରୀ ମାନେ ସାମିଲ ଯୋଗ ଦେବେ । ରାଜ୍ୟବାହାରୁ କଳାକାର ମାନେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ। ''
ଏନେଇ କମିଟି ସଦସ୍ୟ କହିଛନ୍ତି ଯେ, '' ତିନି ତାରିଖ ଠାରୁ ମହିଳା ମେଳା ଆରମ୍ଭ ହୋଇଛି । ଏହା 7 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ଆସନ୍ତା 5 ତାରିଖ ଠାରୁ ମହିମା ମହୋତ୍ସବ ଆରମ୍ଭ ହେବ । ଏହାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ''
ସେହିପରି ଆଜି ଠାରୁ ଢେଙ୍କାନାଳରେ ଯୋରନ୍ଦାରେ ଥିବା ମହିମା ଗାଦିରେ ଯୋରନ୍ଦା ମେଳା ଆରମ୍ଭ ହୋଇଯାଇଛି । ଚଳିତ ଥର ବିନା କଟକଣାରେ ଆରମ୍ଭ ହୋଇଛି ଯୋରନ୍ଦା ମେଳା । ମହିମା ସାଧୁ ମାନେ ଚଳିତ ବର୍ଷ 150ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ପ୍ରତ୍ୟେକ ବର୍ଷ ଏହି ମହିମା ଗାଦିଙ୍କୁ ଯୋରନ୍ଦା ମେଳାରେ ଶହଶହ ଭକ୍ତଙ୍କ ସମାଗମ ହୋଇଥାଏ । ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ନ୍ୟାସୀ ଓ ଶ୍ରଦ୍ଧାକୁ ମାନେ ମହିମା ଗାଦିକୁ ଛୁଟି ଆସିଛନ୍ତି ।
ଇଟିଭି ଭାରତ, ଅନୁଗୋଳ