ଅନୁଗୋଳ: ନାଲକୋ ଆସପଣ୍ଡକୁ ଲାଗିଥିବା ବଳରାମ ପ୍ରସାଦ ଗାଁର 10ରୁ ଊର୍ଦ୍ଧ୍ବ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଆସପଣ୍ଡ ପାଖରେ ଥିବାରୁ ଏହାର ପ୍ରଭାବରେ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଗତ 6ମାସ ମଧ୍ୟରେ 4ରୁ 5ଜଣ ଏହି ରୋଗରେ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ 10ରୁ ଅଧିକ ଲୋକ ପୀଡିତ ଅଛନ୍ତି । ଏପରିକି ସହାୟତା ଦୂରର କଥା କମ୍ପାନୀ ଗ୍ରାମରେ ପହଞ୍ଚି ନ ଥିବାରୁ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।
ବଡତଇଳା ସାହିର ଟ୍ଵିଙ୍କିଲ ସାହୁ(25) ପ୍ରାୟ ବର୍ଷେ ହେବ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେବଳ ଟ୍ଵିଙ୍କିଲ ନୁହଁନ୍ତି ତାଙ୍କ ପଡୋଶୀ ଗୋପୀ ସାହୁ ଓ ଅନ୍ୟ ୧୦ ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗତ ୬ ମାସ ମଧ୍ୟରେ ବଡତଇଳା ସାହିରୁ ପ୍ରାୟ ୫ ଜଣ ଲୋକ କିଡନି ରୋଗରେ ଜୀବନ ଯାଇଥିବା ଗ୍ରାମବାସୀ କହିଛନ୍ତି ।
ସାହିରେ ପ୍ରାୟ ୨୦ରୁ ଅଧିକ ପରିବାର ବସବାସ କରନ୍ତି ଓ ସେଠାରେ ଥିବା ନଳକୂଅର ପାଣି ବ୍ୟବହାର କରନ୍ତି । ଅଧିକାଂଶ ସମୟରେ ନଳକୂଅ ପାଣିରୁ ଲୁହାଗୁଣ୍ଡ ଓ ପାଉଁଶ ବାହାରୁଥିବା ସତ୍ତ୍ବେ ଉପାୟ ଶୂନ୍ୟ ହୋଇ ଲୋକେ ତାହାକୁ ପିଉଛନ୍ତି । ଯାହାଦ୍ବାରା ସେମାନେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ତେବେ ଏନେଇ ଆମେ ନାଲକୋ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଏ ସଂପର୍କରେ ମୁହଁ ଖୋଲି ନାହାନ୍ତି ।
ସୂଚନା ଅନୁସାରେ, ବଡତଇଳା ସାହିକୁ ଲାଗି ନାଲକୋର ୨ ନଂ ଆସପଣ୍ଡ ରହିଛି । ଜମି ଅଧିଗ୍ରହଣ କରିବା ପରେ ସମସ୍ତ ଗ୍ରାମବାସୀଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା । କିନ୍ତୁ ସେମାନେ ସେଠାରୁ ଯାଇନଥିଲେ । ଏହି ଆସପଣ୍ଡକୁ ବନ୍ଦ କରିବାକୁ ୨୦୧୨ ମସିହାରେ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏଠାରେ କେହି ରହୁନଥିବାରୁ ସୁପ୍ରିମକୋର୍ଟରେ ଆବେଦନ ପରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି । ଏହା ଫଳରେ ବଡତଇଳା ସାହିବାସୀ ଏଭଳି ଦଶା ଭୋଗୁଥିବା କୁହାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ