ଅନୁଗୋଳ: ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଲଗାତାର ପାରଦ ୧୦ ଡିଗ୍ରୀ ପାଖାପାଖି ରହୁଛି। ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସହରାଞ୍ଚଳ ଅପେକ୍ଷା ଜଙ୍ଗଲ ଅଧ୍ୟୁଷିତ ଗ୍ରାମାଞ୍ଚଳ ଗୁଡିକରେ ଶୀତର ମାତ୍ରା ଆହୁରି ଅଧିକ ଅନୁଭବ ହେଉଛି । ଏଥିଲାଗି ଲୋକେ ଦିନ ରାତି ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।
ଅନୁଗୋଳରେ ଅନୁଭୂତ ହେଉଛି ଅସହ୍ୟ ଜାଡ। ସକାଳ ହେଲେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି। ଗତ 4 ରୁ 5 ଦିନ ହେଲା ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୦ଡିଗ୍ରୀ ରହୁଛି। ତେବେ ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ତାପମାତ୍ରା ଆହୁରି କମ ରହୁଛି। ଦିନ ତମାମ ଶୀତ ପ୍ରକୋପ ରହୁଛି । ଫଳରେ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଦିନ ବେଳେ ବି ଲୋକେ ଗାଁ ଦାଣ୍ଡରେ ନିଆଁ ଜାଳି ବସୁଛନ୍ତି । ଗରିବ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଶୀତ ବସ୍ତ୍ର ନଥିବାରୁ କେବଳ ନିଆଁ ସେମାନଙ୍କ ସାହାରା ହୋଇଛି ।
ଜଙ୍ଗଲ ଭିତରେ ଓ ପରିପାର୍ଶ୍ୱରେ ଥିବା ଶତାଧିକ ଗାଁର ଲୋକେ କେବଳ ଚାଷବାସ ଓ ଜଙ୍ଗଲଜାତ ଜିନିଷ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ଏବେ ପ୍ରବଳ ଶୀତ ଯୋଗୁ ଲୋକଙ୍କର ଜୀବନ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡିଛି । ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ନିଆଁ ପାଖ ଛାଡି ଯାଉ ନାହାଁନ୍ତି । ରାତିରେ ମଧ୍ୟ ଘର ଭିତରେ ନିଆଁ ଜାଳି ଶୋଉଛନ୍ତି । ଆଗକୁ ଆହୁରି ଶୀତ ବଢିବାର ଆଶଙ୍କା ଥିବାରୁ ଗ୍ରାମାଞ୍ଚଳ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ସହରାଞ୍ଚଳରେ ଲୋକେ ଶୀତ ବସ୍ତ୍ର, କମ୍ବଳ, ରେଜେଇ ଆଦି ବ୍ୟବହାର କରି ଶୀତରୁ ରକ୍ଷା ପାଉଥିବାବେଳେ ଜଙ୍ଗଲ ଅଧ୍ୟୁଷିତ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଶୀତ ଆଣି ଦେଇଛି ଅନେକ କଷ୍ଟ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ