ଅନୁଗୋଳ: ଜିଲ୍ଲାର ରନ୍ତଲେଇ ଗାଁରେ ରାସ୍ତା ଉପରେ ପାଣି ଜମିବାକୁ ନେଇ ସବର୍ଣ୍ଣ ଅସବର୍ଣ୍ଣ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ସବର୍ଣ୍ଣ ସାହି ସାମାନ୍ୟ ଉଚ୍ଚରେ ଥିବାରୁ ସାହିର ପାଣି ରାସ୍ତା ଉପରେ ପ୍ରବାହିତ ହୋଇ ଅସବର୍ଣ୍ଣ ସାହିକୁ ଆସୁଥିବା ଅଭିଯୋଗ କରିଛନ୍ତି ଅସବର୍ଣ୍ଣ ପରିବାର । ପରିସ୍ଥିତି ଜଟିଳ ହେବାରୁ ଅନୁଗୋଳ ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉଚିତ ପଦକ୍ଷେପ ନେଇ ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ସବର୍ଣ୍ଣ ସାହିରେ ପ୍ରାୟ 300ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଅସବର୍ଣ୍ଣ ସାହିରେ ରହୁଛନ୍ତି ପ୍ରାୟ 50 ପରିବାର । ଅସବର୍ଣ୍ଣ ସାହି ବାସିନ୍ଦା ରାସ୍ତା ଉପରେ ମାଟି ପକାଇ ପାଣି ଅଟକାଇଥିବାରୁ ସେଠାରେ ମଶାମାଛି ହୋଇ ଗ୍ରାମବାସୀ ରୋଗାକ୍ରାନ୍ତ ହେଉଛନ୍ତି । ଆଉ ଏହି ପାଣିକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା । ପରିସ୍ଥିତି ଜଟିଳ ହେବାରୁ ଏହାର ସମାଧାନ ପାଇଁ ଉଭୟ ପକ୍ଷରୁ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ । ଆଜି ଅପରାହ୍ନରେ ଅନୁଗୋଳ ବିଡ଼ିଓ ଏବଂ ତହସିଲଦାର ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ ।
ଦୁଇ ଗୋଷ୍ଠୀ ଶାନ୍ତ ହେବାପରେ ରାସ୍ତାର ମାପଚୁପ କରି ଉଭୟ ଗାଁ ମଧ୍ୟରେ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା କରିବା ସହ ପାଣି କିଭଳି ନିସ୍କାସନ ହୋଇପାରିବ ସେନେଇ ଆଲୋଚନା କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ