ଅନୁଗୋଳ: ଦିନରାତି ଏକ କରି ପାଠ ପଢ଼ିଥିଲେ । ପରୀକ୍ଷା ଦେଇ ସାରିବା ପରେ ଯାହା କହୁଥିଲେ ସେଇୟା ହେଲା । ମାଟ୍ରିକରେ ରଖିଲେ ୯୦ ପ୍ରତିଶତ ମାର୍କ । ହେଲେ ଏହି ସଫଳତାର ଖୁସି ମନାଇବା ପାଇଁ ସେ ଆଜି ଏ ଦୁନିଆରେ ନାହାନ୍ତି । ସେ ସିନା ନାହାନ୍ତି, ହେଲେ ତାଙ୍କ ପରିଶ୍ରମରେ ମୂଲ୍ୟ ମିଳିଛି । ଅନୁଗୋଳ ସରସ୍ବତୀ ଶିଶୁ ବିଦ୍ୟମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ସୁଚରିତା ଜେନା ଓରଫ ସ୍ବେତାଙ୍କ ମାଟ୍ରିକ ପରୀକ୍ଷା ଫଳକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ମାର୍ଚ୍ଚ ୨୦ରେ ସରିଥିଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ସରିବା ପରେ ବାପା ଅଭିରାମ ଜେନାଙ୍କ ସହ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଥିବା ମାମୁ ଘରକୁ ଯାଉଥିଲେ ସ୍ୱାତୀ । ହେଲେ ବାଟରେ ସତେ ଯେମିତି ଜଗିଥିଲା ମୃତ୍ୟୁ । ଦୁର୍ଘଟଣାର ଶିକାର ହୋଇ ସ୍ୱାତୀ ଆରପାରିକୁ ଚାଲିଯାଇଥିଲେ । ଦୁର୍ଘଟଣାର ଦୁଇ ମାସ ପରେ ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍ବାତୀ ୬୦୦ ରୁ ୫୪୦ ନମ୍ବର ରଖିଛନ୍ତି ଏବଂ ଜିଲ୍ଲାର ୧୩ ଜଣ A1 ଗ୍ରେଡ ମଧ୍ୟରେ ସେ ତାଲିକାରେ ରହିଛନ୍ତି । ହେଲେ ଏହି ସଫଳତା ଦେଖିବାକୁ ନାଁ ସେ ଅଛନ୍ତି ଆଉ ନା ତାଙ୍କ ପରିବାର ଲୋକଙ୍କ ପାଖେ ଧର୍ଯ୍ୟ ଅଛି । ସ୍କୁଲରେ ଥିବା ତାଙ୍କ ସ୍ମୃତି ଏବେ ବି ଅଲିଭା ରହିଛି । ଯାହାକୁ ଝୁରୁଛନ୍ତି, ସହର ଗାନ୍ଧୀ ମାର୍ଗ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସହପାଠୀ ଓ ଗୁରୁଜୀ-ଗୁରୁମା । ଯେଉଁ ଚେହେରା ଦେଖି ପରିବାରଲୋକ ସ୍ୱପ୍ନ ବୁଣୁଥିଲେ, ତାହା ପୂରଣ ହେବା ଆଗରୁ ଅଧୁରା ହୋଇ ରହିଯାଇଛି ।
ଏନେଇ ତାଙ୍କ ସହପାଠୀ କହିଛନ୍ତି, "ସ୍ବାତୀ ଜଣେ ମେଳାପି ଓ ଶାନ୍ତ ସ୍ବଭାବର ଝିଅଥିଲେ । ସଭିଙ୍କ ସହ ଭଲରେ ମିଶୁଥିଲେ ଏବଂ ପାଠପଢାରେ ସଭିଙ୍କୁ ସାହାଯ୍ୟ କରୁଥିଲେ । ସ୍କୁଲରେ ତାଙ୍କ ସହ ଏକାଠି ମିଶି ଖାଇବା, ଖେଳିବା, ପାଠ ପଢ଼ିବା ହେଉଥିଲା । ମାତ୍ର ହଠାତ ତାଙ୍କର ଦୁର୍ଘଟଣା ଖବରକୁ ବିଶ୍ବାସ କରି ହେଉନାହିଁ । ତାଙ୍କ ଫଳାଫଳ ଦେଖି ଖୁସି ଲାଗୁଛି ମାତ୍ର ତାଙ୍କ ଅନୁପସ୍ଥିତି ବେଶି ଦୁଃଖ ଦେଉଛି ।"
ମୃତ୍ୟୁ କେବେ ଓ କେତେବେଳେ କାହାକୁ ଗ୍ରାସ କରିବ ତାହା କହିବା ମୁସ୍କିଲ । ମାତ୍ର କଅଁଳ ବୟସରେ ସ୍ବାତୀଙ୍କ ପରି ଜଣେ ମେଧାବୀ ଛାତ୍ରୀଙ୍କ ଅକାଳ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ଇଟିଭି ଭାରତ, ଅନୁଗୋଳ