ଅନୁଗୋଳ: ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳିତ ହେଉଛି ଦୀପାବଳି ଉତ୍ସବ । ଏହି ଅବସରରେ ଅନୁଗୋଳରେ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି (Diwali Celebration in Anugul) । ଏଥିଲାଗି ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଅନୁଗୋଳବାସୀ ବାଣ ଦୋକାନରୁ ଭଳିକି ଭଳି ବାଣ କିଣୁଥିବା ବେଳେ ଦୋକାନରେ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି ।
ଦୀପାବଳି ଉତ୍ସବରେ ବିଶେଷ କରି ରଙ୍ଗ ବେରଙ୍ଗ ବାଣ ଫୁଟାଇବାକୁ ସମସ୍ତେ ବେଶ ପସନ୍ଦ କରନ୍ତି । ତେଣୁ ଅନୁଗୋଳରେ ଦୁଇଦିନ ବାଣ ବିକ୍ରି ପାଇଁ ପ୍ରଶାସନ ଶତାଧିକ ଦୋକାଣୀଙ୍କୁ ଅନୁମତି ଦେଇଛି । ଷ୍ଟାଡିଅମ ନିକଟରେ ଥିବା ପଡ଼ିଆରେ ଅସ୍ଥାୟୀ ବାଣ ବଜାର ଖୋଲିଛି । ଏହି ବଜାରରେ ଶହେରୁ ଅଧିକ ଦୋକାନୀ ଭଳିକି ଭଳି ବାଣ ଦୋକାନ ଖୋଲିଛନ୍ତି । ଦୁଇ ବର୍ଷ ପରେ ବାଣ ଫୁଟାଇବାକୁ ଲୋକେ ଚାହିଁ ବସିଥିଲେ । ଏଣୁ ବାଣ କିଣିବାକୁ ବଜାରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ- ଆଜି ଆଲୋକର ପର୍ବ ଦୀପାବଳି, ଦୀପରେ ଝଲସିବ ପୁରପଲ୍ଲୀ
ଚଳିତ ବର୍ଷ ବାଣ ଦର ଅଧିକ ରହିଛି । ତଥାପି ଲୋକେ ବାଣ କିଣି ନେଉଛନ୍ତି । ଚଳିତ ବର୍ଷ ପ୍ରଶାସନ ବାଣ ବିକ୍ରି ପାଇଁ ମାତ୍ର ଦୁଇ ଦିନ ଅନୁମତି ଦେଇଥିବାରୁ ଏଭଳି ଭିଡ଼ ହେଉଛି । ଏହାଛଡା ଅତି ଅଧିକ ଶବ୍ଦ କରୁଥିବା ବାଣ ବିକ୍ରି ଉପରେ କଟକଣା ଲଗା ଯାଇଛି । ତେଣୁ ଫୁଲଝରି, କୁମ୍ପି, ରକେଟ, ଚକ୍ରି ଓ ଅନ୍ୟାନ୍ୟ ରଙ୍ଗ ବେରଙ୍ଗ ବାଣ ବିକ୍ରି ହେଉଛି । ବାଣ କିଣିବାକୁ ଆସିଥିବା ଜଣେ ଗ୍ରାହକ କହିଛନ୍ତି, "ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ବାଣ ଦର ଅଧିକ ରହିଛି । ତଥାପି ଦୀପାବଳି ପାଇଁ ଆମେ ବାଣ କିଣୁଛୁ ।"
ସେପଟେ ଆଉ ଜଣେ ଗ୍ରାହକ କହିଛନ୍ତି, "ଦୀର୍ଘ ୨ବର୍ଷ ପରେ ବାଣ କିଣିବାକୁ ଆସିଛି । କୋରୋନା କଟକଣା ନଥିବାରୁ ଚଳିତ ବର୍ଷ ଧୁମଧାମରେ ଦୀପାବଳି ପାଳିବୁ । ବହୁତ ଖୁସି ଲାଗୁଛି ।" ଦୀର୍ଘ ୨ବର୍ଷ ପରେ ବିନା କୋରୋନା କଟକଣାରେ ଅନୁଗୋଳରେ ମଧ୍ୟ ଦୀପାବଳି ପାଳିତ ହୋଇଛି । ଲୋକେ ପର୍ବକୁ ନେଇ ଉତ୍ସାହିତ ରହିଥିବା ବେଳେ ବାଣ ଦୋକାନରେ ପ୍ରବଳ ଭିଡ଼ ଜମିଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବଜାରରେ ପ୍ରବଳ ଭିଡ଼ ଜମିଛି ।
ଇଟିଭି ଭାରତ, ଅନୁଗୋଳ