ଅନୁଗୋଳ: ଶିକାରୀ ତାରରେ ଲାଗି ଜଣେ ଚାଷୀଙ୍କ ମୃତ୍ୟୁ । ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଗୋପିବଲ୍ଲଭପୁର ଗାଁରେ ଜଣେ ଚାଷୀ ଫସଲ ଜଗିବାକୁ ଯାଉଥିବା ବେଳେ ଶିକାରୀ ତାରରେ ଲାଗି ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କୋଶଳା ଖଳିନାଳ ଗାଁର ନବକିଶୋର ପ୍ରଧାନ ।
ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ନବକିଶୋର ଧାନ ବିଲକୁ ଜଗିବାକୁ ମୋଟର ସାଇକେଲରେ ଯାଉଥିଲେ । ସେହି ସମୟରେ ଶିକାରୀ ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ସଂସ୍ପର୍ଶରେ ଆସି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବକିଶୋରଙ୍କ ମୃତଦେହକୁ ଉଦ୍ଧାର କରିବା ସହ ବାରହା ଶିକାର ପାଇଁ ବ୍ୟବହୃତ ହୋଇଥିବା ତାରକୁ ମଧ୍ୟ ଜବତ କରିଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ଦିନକୁ ଦିନ ଛେଣ୍ଡିପଦା, ଦୁର୍ଗାପୁର ଓ କୋଶଳା ବନାଞ୍ଚଳ ଆଦିରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢୁଥିବାବେଳେ ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ