ଅନୁଗୋଳ: ଜିଲ୍ଲାରେ ବିପଦରେ କଲରାପତରିଆ ବାଘ(Leopard)। ବିଭିନ୍ନ ଜଙ୍ଗଲରେ ଶିକାରି ଫାଶରେ ପଡି ଏହି ପ୍ରଜାତିର ବାଘ ମୃତାହତ ହେଉଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରାୟ ୭ଟି କଲରାପତରିଆ ବାଘ ବିଭିନ୍ନ କାରଣରୁ ମରିଥିବା ବନ ବିଭାଗ ରେକର୍ଡ଼ରୁ ଜଣାପଡିଛି। ସେମାନଙ୍କ ସୁରକ୍ଷା ଅଭାବରୁ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ।
ତେବେ କିଛିବର୍ଷ ହେଲା ଅନେକ ପ୍ରଜାତିର ପ୍ରାଣୀ ଲୋପ ପାଇ ଗଲେଣି। ଆଉ କିଛି ପ୍ରଜାତି ଲୋପ ହେବାକୁ ବସିଲେଣି। ବିଲୁପ୍ତ ହେବାକୁ ଥିବା ପ୍ରାଣୀମାନଙ୍କ ମଧ୍ୟରେ କଲରାପତରିଆ ବାଘ ଅନ୍ୟତମ। ଏହି ପ୍ରଜାତିର ବାଘକୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଅନୁଗୋଳ ଜିଲ୍ଲାରେ ମଧ୍ୟ ଏମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ଅନୁଗୋଳ ଜିଲ୍ଲାରେ ଅନୁଗୋଳ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ଦେବଗଡ଼ ବନଖଣ୍ଡର ଖମାର ବନାଞ୍ଚଳ ରହିଛି। ତେବେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ଆଠମଲ୍ଲିକ ବନଖଣ୍ଡରେ କଲରାପତରିଆ ବାଘ ଅଧିକ ସଂଖ୍ୟାରେ ଦେଖା ଯାଆନ୍ତି। କିନ୍ତୁ ଯେଉଁ ଭଳି ଭାବେ ସେମାନଙ୍କୁ ସୁରକ୍ଷା ଦିଆଯିବା କଥା ସେଭଳି ଦିଆ ଯାଉ ନାହିଁ । ଫଳରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି ।
ବିଭାଗୀୟ ରେକର୍ଡ ଅନୁସାରେ ବିଗତ ୫ବର୍ଷ ମଧ୍ୟରେ କେବଳ ଆଠମଲ୍ଲିକ ବନଖଣ୍ଡରେ ୪ଟି କଲରାପତରିଆ ବାଘ ମରିଛନ୍ତି। ସେହିପରି ଖମାର ବନାଞ୍ଚଳରେ ଗୋଟିଏ ଏବଂ ଛେଣ୍ଡିପଦା ବନାଞ୍ଚଳରେ ଗୋଟିଏ ବାଘ ମରିଛନ୍ତି। ତେବେ କଲରାପତରିଆ ବାଘ ସୁରକ୍ଷା ପାଇଁ ବନ ବିଭାଗ ସେଭଳି କୌଣସି କଡା ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।
ପ୍ରତ୍ୟେକ ୪ବର୍ଷରେ ଥରେ ବ୍ୟାଘ୍ର ଗଣନା କରାଯାଏ। ସେହି ହିସାବରେ ଗତ ୨୦୧୬ ଗଣନା ଅନୁସାରେ ସତକୋଶିଆରେ ୧୮, ଆଠମଲ୍ଲିକରେ ୧୪, ମହାନଦୀ ଡିଭିଜନରେ ୧୭ଟି କଲରାପତାରିଆ ବାଘ ଅଛନ୍ତି। ଅନୁଗୋଳ ବନଖଣ୍ଡରେ ଗତ ୨୦୦୪ରେ ୪ଟି କଲରାପତରିଆ ଥିବା ଗଣନାରୁ ଜଣା ପଡିଥିଲା। ତାପରେ ଆଉ ଗଣନା ହୋଇ ନାହିଁ। ବିଭିନ୍ନ ଜଙ୍ଗଲରେ ମହାବଳ ବାଘ ଗଣନା ଯେତିକି ଗୁରୁତ୍ବର ସହ କରାଯାଏ କଲରାପତାରିଆ ବାଘ ଗଣନା ସେତିକି ଗୁରୁତ୍ବର ସହ କରାଯାଏ ନାହିଁ। ଫଳରେ ସେମାନଙ୍କ ନିର୍ଦ୍ଧିଷ୍ଟ ସଂଖ୍ୟା ଜଣାପଡେ ନାହିଁ। ଜିଲ୍ଲାରେ କେବକ ସାତକୋଶିଆରେ ଏକ ମାତ୍ର ମହାବଳ ବାଘ ଅଛି। ତେଣୁ ସେହି ଗୋଟିଏ ମହାବଳ ବାଘ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ ସମାନ ପ୍ରଜାତିର କଲରାପତରିଆ ବାଘ ସୁରକ୍ଷା ପାଇଁ ଚିନ୍ତା ନକରିବା ନିଶ୍ଚିତଭାବେ ଚିନ୍ତାର କାରଣ ବୋଲି ମତ ପ୍ରକାଶ ପାଇଛି ।
ଆପଣଙ୍କୁ କହିରଖୁଛୁ ଯେ, ଗତ ପ୍ରାୟ ୧୫ ଦିନ ପୂର୍ବେ ଆଠମଲ୍ଲିକ ବନଖଣ୍ଡରେ ଏକ କଲରାପତରିଆ ବାଘ ଶିକାରି ଗୁଳିରେ ମୃତ୍ୟୁବରଣ କରିଥିଲା। ଶିକାରିମାନେ ନିଶ ଓ ନଖ କାଟି ନେଇ ଯାଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡେ କଲରାପତରିଆ ବାଘ ସୁରକ୍ଷା ପାଇଁ ବନ ବିଭାଗ କେତେ ତତ୍ପର।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ