ଅନୁଗୋଳ: ପାଣି ନୁହେଁ, ଜହର ପିଉଛନ୍ତି ଲୋକେ । ଜଣ୍ଡିସର ଭୟ ଓ ଆଶଙ୍କାରେ ବିତୁଛି ଜୀବନ । ତାଲଚେର ବାସୀଙ୍କ ପାଇଁ ଡାହାଣୀ ସାଜିଛି ବ୍ରାହ୍ମଣୀ । ନିଜେ ସାଜିନି, ସଜେଇ ଦିଆଯାଇଛି । ଉପର ମୁଣ୍ଡରେ ସହରର ଡ୍ରେନପାଣି ନିର୍ଗତ ହେଉଛି । ଆଉ ତଳ ମୁଣ୍ଡରୁ ସହରବାସୀଙ୍କ ପାଇଁ ପମ୍ପ ଦ୍ବାରା ପାନୀୟ ଜଳ ଉଠାଣ କରୁଛି ଜନସ୍ବାସ୍ଥ୍ୟ ବିଭାଗ ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଠି ପାଣିର ପ୍ରତିଶୋଧନ ବ୍ୟବସ୍ଥା ନାହିଁ । ଯାହାଫଳରେ ବିଭିନ୍ନ ସମୟରେ ଲୋକେ ଜଣ୍ଡିସ ସମେତ ବହୁ ରୋଗର ଶିକାର ହେଉଛନ୍ତି । ଦୀର୍ଘ ବର୍ଷ ହେଲା ତାଳଚେର ସହରକୁ ଦୈନିକ 7.68 ମିଲିୟନ ପାଣି ଯୋଗାଉଛି ଜନସ୍ବାସ୍ଥ୍ୟ ବିଭାଗ । ଆଉ ଏହା ଉପରେ ନିର୍ଭର କରୁଛନ୍ତି ପୌରାଞ୍ଚଳର ପ୍ରାୟ 50 ହଜାର ଲୋକ ।
ସେପଟେ ନଦୀରେ ଦୈନିକ ମିଶୁଛି 2 ନିୟୁତ ଲିଟର ଡ୍ରେନେଜ ପାଣି । ସମାଧାନ ସ୍ବରୁପ ବିଶୋଧନାଗାର କରିବାକୁ ପ୍ରସ୍ତାବ ରହିଛି । 2015ରେ ଏହାର ଶିଳାନ୍ୟାସ ହୋଇଥିଲେ ମଧ୍ୟ ତାହା ଏବେ ଫାଇଲ ତଳେ ଚାପି ହୋଇରହିଯାଇଛି ।
କୋଇଲାଖଣି ଯୋଗୁଁ ସହରରେ ନିମ୍ନଗାମୀ ଥାଏ ଭୂତଳ ଜଳ । ଆଉ ଏଭଳି ସ୍ଥଳେ ବ୍ରାହ୍ମଣୀ ପାଣି ସହରବାସୀଙ୍କ ପାଇଁ ରୋଗର ବାହକ ସାଜିଛି । ତେବେ କେବେ ଏହାର ସମାଧାନ ହେଉଛି ଦେଖିବାକୁ ବାକି ରହିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ