ଅନୁଗୋଳ: ଅନୁଗୁଳ ଅତିରିକ୍ତ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ ସୁରେଶ ଚନ୍ଦ୍ର ପ୍ରଧାନ ଐତିହାସିକ ରାୟ ଶୁଣାଇଛନ୍ତି । ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଯାହାକି ପୋକ୍ସୋ ଆଇନ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ଏହା ପ୍ରଥମ ଫାଶୀ ଦଣ୍ଡାଦେଶ ।
ଗତ 2019 ଜାନୁଆରୀ 19 ତାରିଖର ଘଟଣା । ଜଣେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ ଓ ପଥରରେ ଛେଚି ହତ୍ୟା କରିଥିଲା ଅନୁଗୁଳ ଥାନା କାଙ୍ଗୁଳା ଗାଁର ଅନାମ ଦେହୁରୀ । ହେଲେ ସେତିକିରେ କାମନାର ଭୋକ ମେଣ୍ଟିନଥିଲା ଯେ, ନାବାଳିକାର ମୃତ୍ୟୁ ପରେ ମଧ୍ୟ ପୁଣି ଥରେ ଦୁଷ୍କର୍ମ କରିଥିଲା । ପରେ ବୁଦାମୂଳରେ ପକାଇ ଫେରାର ହୋଇଯାଇଥିଲା ।
ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତ ଅନାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମକଦ୍ଦମାର ବିଚାର ଚାଲିଥିଲା ବେଳେ ବିଚାରପତି ପରିପାର୍ଶିକ ସ୍ଥିତି, 36 ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପୁରା ଘଟଣାକୁ ନେଇ ସେତେବେଳେ ଅନେକ ଆନ୍ଦୋଳନ ଓ ପ୍ରତିବାଦ ମଧ୍ୟ ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ