ଅନୁଗୋଳ: ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ମେଧା ତାଲିକାରେ ଯୋଗ୍ୟ ବିଦ୍ୟାର୍ଥୀଙ୍କ ନାମଲେଖା ହେବ । ଯାହା ଆସନ୍ତା ସେପ୍ଟେମ୍ବର 26 ଯାଏଁ ଚାଲିବ । ଏହି କ୍ରମରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଏହି ସମୟରେ ସାମାଜିକ ଦୂରତ୍ବ କଟକଣାକୁ ଅନୁଗୋଳ କଲେଜ କର୍ତ୍ତୃପକ୍ଷ ଭୂଲିଯାଇଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ, କୋରୋନା କାରଣରୁ ଯୁକ୍ତ ଦୁଇ ନାମଲେଖା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କଟକଣା ଜାରି ହୋଇଛି । ନିୟମ ମୁତାବକ ପ୍ରତି ଘଣ୍ଟାରେ କେବଳ ୧୫ ଜଣ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ । ନାମଲେଖା ପାଇଁ ଆସୁଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ସମାଜିକ ଦୂରତା ମାନିବେ । ଆସୁଥିବା ପିଲାମାନଙ୍କୁ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯିବ । ହେଲେ ଅନୁଗୋଳ କଲେଜରେ ପ୍ରଥମ ଦିନ ନାମଲେଖା ବେଳେ ଏସବୁ ବ୍ୟବସ୍ଥାରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଛି ।
ଅନୁଗୁଳ କଲେଜରେ ଯୁକ୍ତ ୨ କଳାରେ ୨୫୬, ବିଜ୍ଞାନରେ ୩୨୦ ଓ ବାଣିଜ୍ୟରେ ୨୫୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । ଆଜି ପ୍ରଥମ ଦିନରେ ପ୍ରତ୍ୟେକ ବିଭାଗରେ ୯୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ନାମ ଲେଖିବାର ବ୍ୟବସ୍ଥା କରାଯାଇଛି । ତେବେ ନାମଲେଖା ବେଳେ କୋଭିଡ କଟକଣା ମାନିବାରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା ।
ସାମାଜିକ ଦୂରତା ମାନିବା ତ ଦୂରର କଥା ନାମଲେଖା ସ୍ଥାନରେ ଛାତ୍ରଛାତ୍ରୀଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଆଦୌ ନିୟନ୍ତ୍ରଣ କରାଯାଉନଥିଲା । ତେବେ ଜିଲ୍ଲାରେ ଶିଳ୍ପାଞ୍ଚଳ କାରଣରୁ କୋରୋନା ସ୍ଥିତି ଅଣାୟତ୍ତ ହେଉଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ ନୀତି ଚିନ୍ତା ସୃଷ୍ଟି କରୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ