ଅନୁଗୋଳ: ଅହେତୁକ ତୈଳ ଦର ବୃଦ୍ଧି ନେଇ ଚାରିଆଡେ ପ୍ରତିବାଦର ସ୍ବର । ତୈଳ ଦର ବୃଦ୍ଧି ନେଇ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଛି । ପ୍ରତିବାଦ କରି ପେଟ୍ରୋଲ ଟାଙ୍କିରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରରେ କଳା ବୋଲିଲେ କଂଗ୍ରେସ କର୍ମୀ ।
ବଢୁଥିବା ତୈଳ ଦର ସାଧାରଣ ଜନତାଙ୍କୁ ବ୍ୟତିବ୍ୟସ୍ତ କରିଛି। ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜିଲ୍ଲା ଛାତ୍ର କଂଗ୍ରେସ । ଦିନକୁ ଦିନ ତେଲ ଦର ବୃଦ୍ଧିରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଲ ଦର 50ରୁ 60ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା 100ଟଙ୍କା ପାଖାପାଖି ପହଞ୍ଚିଛି । ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପେଟ୍ରୋଲର ଦାମ ବଢିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଜିଲ୍ଲା ଛାତ୍ର କଂଗ୍ରେସ ।
ଏ ନେଇ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଉପରେ କାଳିମାଡ କରିବା ସହିତ ପୋଷ୍ଟରକୁ ଚିରିବାର ଦେଖିବାକୁ ମିଳିଛି । ତେଲ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ମଧ୍ୟ ବୃଦ୍ଧି ପାଇଛି। ତେଣୁ ତୁରନ୍ତ ତୈଳ ଦର କମାଇବା ପାଇଁ କଂଗ୍ରେସ ଦାବି କରିଛି। ଯଦି ତେଲ ଦର କମ ନ ହୁଏ ତେବେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦମକ ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ