ଅନୁଗୋଳ: କୋଭିଡ୍ କେୟାର କେନ୍ଦ୍ରରୁ ଜଣେ କୋରୋନା ସଂକ୍ରମିତ କୁଆଡ଼େ ନିଖୋଜ ହୋଇଯାଇଛନ୍ତି । ୫ ଦିନ ହେଲା ତାଙ୍କ ପତ୍ତା ମିଳୁନି । ସେପଟେ ବାପାଙ୍କ ନିଖୋଜ ନେଇ ଥାନାର ଦ୍ବାରସ୍ଥ ହୋଇଛି ପୁଅ । ବାପାଙ୍କୁ ତୁରନ୍ତ ଖୋଜି ଆଣି ଦେବା ପାଇଁ ପୋଲିସକୁ ନିବେଦନ କରିଛନ୍ତି । ଏହି ଘଟଣା ଘଟିଛି ଅନୁଗୋଳ କୋଭିଡ କେୟାର ସେଣ୍ଟରରେ ।
ଜିଲାର ଛେଣ୍ଡିପଦା ବ୍ଳକ ପରା ଗ୍ରାମର ଗୋବିନ୍ଦ ପ୍ରଧାନ ଛାତିରେ ଯନ୍ତ୍ରଣା ହେବାରୁ ଗତ ୩୦ ତାରିଖରେ ତାଙ୍କ ପୁଅ ଯୁଗଳ ପ୍ରଧାନ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ପରୀକ୍ଷା କରିବା ପରେ ଜଣାପଡ଼ିଲା ଯେ ସେ କୋଭିଡ଼ ସଂକ୍ରମିତ ଅଛନ୍ତି । ଏଣୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ଆଦର୍ଶ କୋଭିଡ କେୟାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ବାପାଙ୍କୁ ସ୍ଥାନାନ୍ତର ପରେ ପୁଅ ଯୁଗଳ ଉକ୍ତ କେନ୍ଦ୍ରରେ ପହଞ୍ଚି ଜାଣିବାକୁ ପାଇଲେ ଯେ, ତାଙ୍କୁ ୧୫ ନମ୍ବର କକ୍ଷରେ ରଖାଯାଇଛି ।
ଘଟଣା ଏହା ଭିତରେ ପାଞ୍ଚଦିନ ବିତି ଗଲାଣି ଏବେ କିନ୍ତୁ ଆଉ ସେ ତାଙ୍କ ବାପାଙ୍କ ପତ୍ତା ପାଉ ନାହାଁନ୍ତି କି ତାଙ୍କ ପରିବାର ଫୋନ୍ କଲେ ମଧ୍ୟ ତାଙ୍କ ବାପା ଆଉ ଫୋନ୍ ଉଠାଇ ନାହାଁନ୍ତି । ସେପଟେ ଆଦର୍ଶ କୋଭିଡ୍ କେୟାର କେନ୍ଦ୍ରରେ ପହଞ୍ଚି ବାପାଙ୍କ ବିଷୟରେ ପଚାରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ପାଇଥିଲେ । ସେଠାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଖୋଜାଖୋଜି କରିଥିଲେ ବି ବାପାଙ୍କୁ ପାଇ ନଥିଲେ । ବହୁ ଖୋଜାଖୋଜି ପରେ ଗୋବିନ୍ଦଙ୍କୁ ତାଳଚେର ବଳରାମପ୍ରସାଦରେ ଥିବା କୋଭିଡ ସେଣ୍ଟରକୁ ପଠାଯାଇଥିବା ସେଠାରେ କହିଥିଲେ ।
ବଳରାମପ୍ରସାଦରେ ପହଞ୍ଚି ଖୋଜାଖୋଜି କରିଥିଲେ ବି ସେଠାରେ ବାପାଙ୍କୁ ପାଇ ନଥିଲେ ଯୁଗଳ । ଏନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଘଟଣା ବାବଦରେ ସେ ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଛନ୍ତି । ଏ ବାବଦରେ କାହାରି ପ୍ରତିକ୍ରିୟା ମିଳିନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ