ଅନୁଗୋଳ: ପଥରଗଡ ମଦମୃତ୍ୟୁ ମାମଲାକୁ କେନ୍ଦ୍ରକରି ସରକାରଙ୍କୁ ଘେରିଛି ବିଜେପି । ବିଜେପି ଏହି ମାମଲାରେ ଜିଲ୍ଲା ଅବକାରୀ ବିଭାଗର ଅଧ୍ୟକ୍ଷଙ୍କୁ ଦାୟୀ କରି ତାଙ୍କ ଗିରଫ ପାଇଁ ଦାବି କରିବା ସହ ରାଜ୍ୟ ଅବକାରୀ ବିଭାଗ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛି ।
ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ପଥରଗଡରେ ବିଷାକ୍ତ ମଦ ପିଇ 4ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ବିଜେପିର ଏକ ପ୍ରତିନିଧି ଦଳ ପୂର୍ବରୁ ପଥରଗଡ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲା । ଏହାପରେ ଆଜି(ଗୁରୁବାର) ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ପ୍ରତିବାଦ କରିଛି ବିଜେପି ।
ଜିଲ୍ଲା ବିଜେପି ସଭାପତି ଡିଲେଶ୍ବର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧୀ ଦଳ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପିର ଦାବି ଅନୁଯାୟୀ ଯାହାଙ୍କ ପାଇଁ ଜିଲ୍ଲାରେ ଚୋରାମଦ କାରବାର ବଢୁଛି, ଯେଉଁ ସରକାରୀ ଅଧିକାରୀମାନେ ଏଥିପାଇଁ ଦାୟୀ ତାଙ୍କୁ ତୁରନ୍ତ ଗିରଫ କରାଯାଉ । ଏଥିସହ ବିଜେପି ରାଜ୍ୟ ଅବକାରୀ ବିଭାଗ ମନ୍ତ୍ରୀଙ୍କ ଇସ୍ତାଫା ମଧ୍ୟ ଦାବି କରିଛି । ଅନ୍ୟପଟେ ପୋଲିସ ଏହି ମାମଲାରେ 6 ଜଣଙ୍କୁ ଗିରଫ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ