ଅନୁଗୋଳ: ହାତୀ ଉପଦ୍ରଵ ରୋକିବେ ମହୁମାଛି । ବନ ବିଭାଗ ତରଫରୁ ଏଭଳି ଏକ ପ୍ରକଳ୍ପ ହାତକୁ ନିଆଯାଇଛି । ପାଇଲଟ ପ୍ରୋଜେକ୍ଟ ଭାବେ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡରେ ଥିବା ଲକ୍ଷ୍ମୀପୁର ଏବଂ ଲାଠିକଟା ଗାଁରେ କାର୍ଯ୍ୟକାରୀ ଆରମ୍ଭ କରାଯାଇଛି । ଖଦିବୋର୍ଡ଼ ତରଫରୁ ମହୁ ବାକ୍ସ ଓ ମହୁ ମାଛି ଯୋଗାଇ ଦିଆ ଯାଉଛି । ତେଣୁ, ଚାଷୀ ଆଶା ବାନ୍ଧି ବସିଛନ୍ତି ଏହି ପ୍ରକଳ୍ପ ସେମାନଙ୍କ ଜୀବନ ଓ ଫସଲକୁ ରକ୍ଷା କରିବାରେ ସହାୟକ ହୋଇପାରିବ ।
କିଛି ବର୍ଷ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ବଣୁଆ ହାତୀପଲ ଗାଁ ଗାଁରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି । ବନ ବିଭାଗ ତରଫରୁ ହାତୀ ଘଉଡାଇବା ପାଇଁ ଯେତେ ଯାହା କଲେ ମଧ୍ୟ ସେତେଟା ଫଳପ୍ରଦ ହୋଇପାରୁ ନାହିଁ । ଯାହାକି, କେବଳ ବନ ବିଭାଗ କାହିଁକି ସାଧାରଣ ଲୋକଙ୍କ ଚିନ୍ତା ବଢି ଯାଇଛି । ସେଥିପାଇଁ ବନ ବିଭାଗ କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ଢାଞ୍ଚାରେ ମହୁମାଛି ଦ୍ୱାରା ହାତୀ ଉପଦ୍ରବ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରୁଛନ୍ତି । ମହୁମାଛି ଗୁଣୁଗୁଣୁ ଶବ୍ଦକୁ ହାତୀମାନେ ବିରକ୍ତି ପ୍ରକାଶ କରନ୍ତି । ଏହାଛଡା ମହୁମାଛି ଆକ୍ରମଣକୁ ମଧ୍ୟ ହାତୀ ଭୟ କରନ୍ତି । ତେଣୁ, ହାତୀ ଉପଦ୍ରବ ହେଉଥିବା ଅଞ୍ଚଳରେ ବ୍ୟାପକ ମହୁମାଛି ବାକ୍ସ ଲଗାଯିବ । ସେମାନେ ହାତୀର ବାଟ ଓଗାଳିବେ ।
ସାରା ରାଜ୍ୟରେ ଏଭଳି ଅଭିନବ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଆଠମଲ୍ଲିକ ବନଖଣ୍ଡର ଲକ୍ଷ୍ମୀପୁର ଓ ଲାଠିକଟା ଏହି ଦୁଇଟି ଗାଁରେ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ ଆରମ୍ଭ କରାଯାଇଛି ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଠମଲ୍ଲିକ ଡିଏଫଓଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ମହୁ ବାକ୍ସ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା ।
ଖଦି ଓ ଗ୍ରାମ୍ୟଦ୍ୟୋଗ ବିଭାଗ ତରଫରୁ ବ୍ୟାପକ ମହୁ ବାକ୍ସ ଏବଂ ମହୁମାଛି ଯୋଗାଇ ଦିଆଯିବ । ହାତୀ ମାନେ ଯେଉଁ ରାସ୍ତା ଦେଇ ଗାଁ ମୁହାଁ ହେଉଛନ୍ତି ସେହି ରାସ୍ତାରେ ମହୁ ବାକ୍ସ ଲଗାଯିବ । ଆଠମଲ୍ଲିକ ବନଖଣ୍ଡରେ ପରୀକ୍ଷା ମୂଳକ ଭାବେ ନିଆଯାଇଥିବା ଦୁଇଟି ଗାଁରେ ଏହା ସଫଳ ହେଲେ ଅନ୍ୟ ହାତୀ ଉପଦ୍ରବ ଅଞ୍ଚଳ ଗୁଡିକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ହାତୀ ଦାଉରୁ ଲୋକଙ୍କ ଜୀବନ ବଞ୍ଚିଯିବା ସହ ଫସଲ ନଷ୍ଟ ହେବ ନାହିଁ । ଲୋକଙ୍କ ରୋଜଗାର ବଢିବ । ମୁଖ୍ୟତଃ ମହୁମାଛି ମାନଙ୍କ ଦ୍ୱାରା ହାତୀର କୌଣସି କ୍ଷତି ହେବ ନାହିଁ । ତେଣୁ ଏହା ନିଶ୍ଚିତ ଭାବେ ସଫଳ ହେବ ବୋଲି ବନ ବିଭାଗ ଆଶା ରଖିଛି । ଏହାଛଡା ସ୍ଥାନୀୟ ଚାଷୀ ମାନେ ମଧ୍ୟ ଏହି ପ୍ରକଳ୍ପକୁ ସ୍ୱାଗତ କରିବାସହ ସେମାନେ ହାତୀ ଦାଉରୁ ରକ୍ଷା ପାଇ ପାରିବେ ବୋଲି ଆଶା ରଖିଛନ୍ତି ।
ସାରା ରାଜ୍ୟରେ ଅନୁଗୋଳ ଜିଲ୍ଲାରେ ହାତୀ, ମଣିଷ ବିବାଦ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଏହି ଜିଲ୍ଲାରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ତେଣୁ, କେବଳ ପ୍ରକଳ୍ପ କରିଦେଇ ଚୁପ ହୋଇ ବସି ନରହି ଏହା ଉପରେ କଡା ନଜର ଦେବାକୁ ପରିବେଶବିତ ମାନେ ଦାବି କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ