ଅନୁଗୋଳ: ଅଳ୍ପ ଦିନ ତଳେ କାଳୀସି ଭଳି ନୃତ୍ୟ କରି ଚର୍ଚ୍ଚାରେ ଥିବା ଆଠମଲ୍ଲିକ ବିଧାୟକ ଏବେ ଲୋକଙ୍କ ସହ ମିଶି ମୃଦଙ୍ଗ ବଜାଉ ଥିବା ଘଟଣା ନଜରକୁ ଆସିଛି । ଖାଲି ସେତିକି ନୁହେଁ ସଧାରଣ ଲୋକଙ୍କ ସହ ମିଶି ନାମ ସଂକୀର୍ତ୍ତନ ମଧ୍ୟ କରିଛନ୍ତି ।
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶିବରାତ୍ରୀ ଉପଲକ୍ଷେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଶିବ ମନ୍ଦିର ପରିଦର୍ଶନ କରି ନିଜେ ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନ କରିଥିଲେ । ତୁରୁଡା ଗ୍ରାମରେ ପହଞ୍ଚି ବିଧାୟକ ଚାଲିଥିବା ନାମ ସଙ୍କୀର୍ତ୍ତନରେ ସାମିଲ ହୋଇଥିଲେ ।
ଗୀତ ବୋଲିବା ସହ ବାଜା ବଜାଇ ଥିଲେ ସେ । ଦୀର୍ଘ ସମୟ ଧରି ଲୋକଙ୍କ ଗହଣରେ ରହି ନିଜକୁ ହଜାଇ ଦେଇଥିଲେ । ସୂଚନାଥାଉକି, ନାମ ସଙ୍କୀର୍ତ୍ତନ ଓ ବିଭିନ୍ନ ଲୋକ କଳାକୁ ଜୀବିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ବିଧାୟକ ପାଣ୍ଠିରୁ ଅନୁଦାନ ଯୋଗାଇ ଦେଉଛନ୍ତି ରମେଶ ଚନ୍ଦ୍ର ସାଏ । ସେପଟେ ଯେଉଁ ଗ୍ରାମରେ ପାଣ୍ଠି ପହଞ୍ଚି ପାରିନାହିଁ ଆଗାମୀ ଦିନରେ ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସାଂସ୍କୃତିକ ପ୍ରେମୀ ବିଧାୟକ ରମେଶ ଚନ୍ଦ୍ର ସାଏ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ