ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ସେନାର ଆର୍ମି ଏଡ଼ି ସେଣ୍ଟରକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ 'କଲର୍ସ ଆୱାର୍ଡ' । ଶନିବାର ଆର୍ମି ଏଡ଼ି ସେଣ୍ଟର ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି ।
'କଲର୍ସ ଆୱାର୍ଡ' ସଶସ୍ତ୍ର ସେନା ପାଇଁ ଏକ ସର୍ବୋଚ୍ଚ ସାମରିକ ସମ୍ମାନ । ଉଭୟ ଶାନ୍ତି ଓ ସଂଘର୍ଷ ସମୟରେ ସେନାର ଏହି ସେଣ୍ଟରର ଦୀର୍ଘ 25 ବର୍ଷର ଉଲ୍ଲେଖନୀୟ ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଏହି ସେଣ୍ଟରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କୁହାଯାଇଛି । ୧୯୪୦ ମସିହାରୁ ଏହା ସେନାର ଏକ ଅଂଶ ଭାବେ କାର୍ଯ୍ୟ କରୁଥିବାବେଳେ ୧୯୯୪ ମସିହାରେ ଏହାକୁ ମିଳିଥିଲା ସ୍ବତନ୍ତ୍ର ପରିଚୟ । ତେବେ ଆଜିର 25 ବର୍ଷର ପୂର୍ତ୍ତି ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟରକୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଇତିମଧ୍ୟରେ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ 2ଟି ଅଶୋକ ଚକ୍ର, 2ଟି କୀର୍ତ୍ତି ଚକ୍ର, ୨୦ଟି ବୀର ଚକ୍ର, 9ଟି ସୌର୍ଯ୍ୟ ଚକ୍ର ଏବଂ ୧୧୩ଟି ସେନା ପଦକ ମିଳିସାରିଛି । ମୁଖ୍ୟତଃ ଯୁଦ୍ଧ ସମୟରେ ସେନାବାହିନୀର ଉତ୍ତମ ପ୍ରଦର୍ଶନକୁ ନେଇ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମିଳିତ ପରେଡ ପ୍ରଦର୍ଶନ କରାଯାଇଥିବାବେଳେ ସେନାର ଏହି ପରେଡ ଅଭିବାଦନ ଗ୍ରହଣ କରିଥିଲେ । ଏଥିସହିତ ଭାରତୀୟ ସେନାର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ ।
ଶନିବାର ଆର୍ମି ଏଡ଼ି ସେଣ୍ଟର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦମ୍ପତିଙ୍କ ସହ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଆର୍ମି ଏୟାର୍ ଡିଫେନ୍ସ ସେଣ୍ଟର ମୁଖ୍ୟ ରାଜୀବ ଶ୍ରୀବାସ୍ତବଙ୍କ ସମେତ ସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଆର୍ମି ଏୟାର ଡିଫେନ୍ସ ସେଣ୍ଟରର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ବର ଫେରିଛନ୍ତି ରାଷ୍ଟ୍ରପତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ