ଅନୁଗୋଳ: ଜିଲ୍ଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ କେବଳ ଯେ ଚାଷ କାର୍ଯ୍ୟକୁ ପ୍ରଭାବିତ କରିଛି ତାହା ନୁହେଁ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଅନୁଗୋଳ ସହରରେ ପାନୀୟଜଳ ସଙ୍କଟ ଆଶଙ୍କା କରାଯାଉଛି । ସହରକୁ ଶତକଡା ୮୦ ଭାଗ ଜଳ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପରୁ ଆସିଥାଏ । କିନ୍ତୁ ଚଳିତ ବର୍ଷ ପ୍ରକଳ୍ପ ଶୁଖି ଗଲାଣି । ବର୍ଷା ନହେଲେ ଆଉ ୧୦ରୁ ୧୫ଦିନ ପରେ ପ୍ରକଳ୍ପରୁ ପାଣି ଆଣିବା ସମ୍ଭବ ହେବ ନାହିଁ। ତେଣୁ ଆଗକୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସହରବାସୀ ଏବଂ ଜନ ସ୍ଵାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛନ୍ତି ।
ବର୍ଷା ଅଭାବ କାରଣରୁ ଶୁଖିଯାଉଛି ଡେରଜାଙ୍ଗ ଜଳ ସେଚନ ପ୍ରକଳ୍ପ । ଏହି ପ୍ରକଳ୍ପରୁ ପାଇପ ଯୋଗେ ପାଣି ଅଣାଯାଇ ଅନୁଗୋଳ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି । ତେବେ ପ୍ରକଳ୍ପ ଶୁଖିବାକୁ ବସିଥିବାରୁ କେତେବେଳେ ଅନୁଗୋଳ ସହରବାସୀଙ୍କୁ ଜଳ କଷ୍ଟ ଭୋଗିବାକୁ ପଡିପାରେ ତାହାର ଆକଳନ କରି ହେଉନାହିଁ । ପ୍ରତ୍ୟେକ ଦିନ ସହରବାସୀଙ୍କୁ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ପାଣି ଯୋଗାଇ ଦିଆଯାଏ ତାର ସିଂହଭାଗ ପାଣି ଡେରଜାଙ୍ଗ ପ୍ରକଳ୍ପରୁ ଆଣାଯାଏ । ଦୈନିକ ସହର ପାଇଁ ସାଢ଼େ ୭ ମିଲିଅନ ଲିଟର ପାଣି ଆବଶ୍ୟକ ପଡୁଥିବା ବେଳେ ସେଥିରୁ ସାଢ଼େ ୫ ମିଲିଅନ ଲିଟର ପାଣି ଡେରଜାଙ୍ଗ ପ୍ରକଳ୍ପରୁ ଆସିଥାଏ । ଏବେ ପ୍ରକଳ୍ପ ଶୁଖିଲା ପଡ଼ିଥିବା ବେଳେ ଅନୁଗୋଳବାସୀ କେଉଁଠୁ ପାଣି ପାଇବେ ତାହାକୁ ନେଇ ବଢ଼ିବାରେ ଲାଗିଛି ଚିନ୍ତା
ଜନସ୍ଵାସ୍ଥ୍ୟ ବିଭାଗ ଆକଳନ ଅନୁସାରେ ଅନୁଗୋଳ ସହରରେ ପ୍ରାୟ ୫୩ ହଜାର ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି। ଭୂତଳ ଜଳସ୍ତର କମି ଯାଉଥିବାରୁ ପୂର୍ବରୁ ଥିବା ଇଣ୍ଟେକ ୱାଲରୁ ଆବଶ୍ୟକ ଜଳ ଯୋଗାଇ ଦିଆଯାଇପାରୁ ନାହିଁ । ଏହାର ସ୍ଥାୟୀ ସମାଧାନ ପାଇଁ ଡେରଜାଙ୍ଗ ଜଳ ସେଚନ ପ୍ରକଳ୍ପରୁ ପାଣି ଆନଯାଇ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି । ଏଥର ଅନାବୃଷ୍ଟି ଯୋଗୁଁ ପ୍ରକଳ୍ପ ଶୁଖିଯାଇ ଥିବା ବେଳେ ଆଗକୁ ଅବସ୍ଥା ଆହୁରି ସାଂଘାତିକ ହେବାର ଆଶଙ୍କା ଦେଖାଦେଇଛି।
ଏନେଇ ବୁଦ୍ଧିଜୀବୀଙ୍କ କହିବା କଥା ଅନୁଗୋଳ ଜିଲ୍ଲାରେ ମଧ୍ୟମ ଓ ବୃହତ ଶିଳ୍ପ ସଂସ୍ଥା ଗୁଡ଼ିକୁ ପର୍ଯ୍ୟାପ୍ତ ଭୂତଳ ଜଳ ବ୍ୟବହାର କରୁଥିବାରୁ ଭୂତଳ ଜଳ ସ୍ତର କମି କମି ଯାଉଛି । ତେଣୁ ସହରବାସୀଙ୍କ ପାଇଁ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରି ମହାନଦୀ କିମ୍ବା ବ୍ରାହ୍ମଣୀ ନଦୀରୁ ପିଇବା ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା କରାଗଲେ ସହର ଲୋକଙ୍କ ପାଇଁ ପାନୀୟ ଜଳର ଅଭାବ ରୁହନ୍ତା ନାହିଁ । ଯଦି ଏକମାତ୍ର ଭରସା ଡେରାଜଙ୍ଗ ଜଳ ସେଚନ ପ୍ରକଳ୍ପ ଶୁଷ୍କ ହୋଇଯାଏ ତେବେ ସହରକୁ ପାନୀୟ ଜଳ ଯୋଗାଣ କେମିତି ହେବ ସେନେଇ ବିଭାଗୀୟ ଅଧିକାରୀ ମଧ୍ୟ ନିରୁପାୟ ହୋଇ ପଡ଼ିଛନ୍ତି। ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ