ଅନୁଗୋଳ: ଜିଲ୍ଲାର ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରଵ । ଦିନ ଦୁଇ ପ୍ରହରରେ ବଣୁଆ ହାତୀ ଗାଁ ଭିତରେ ପଶି ତାଣ୍ଡବ କରୁଛି । ଅନେକ କ୍ଷୟକ୍ଷତି ହେଉଥିବା ବେଳେ ହାତୀ ଭୟରେ ଲୋକେ ଘରୁ ବାହାରିପାରୁ ନାହାନ୍ତି । ତେବେ ହାତୀଙ୍କୁ କାବୁ କରିବାରେ ଫେଲ ମାରିଛି ବନବିଭାଗ । ଜରପଡା ବନାଞ୍ଚଳର ତାବଡା ଗାଁରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।
ସକାଳ ହେଲେ ଗାଁ ମୁଣ୍ଡରେ ହାତୀ ଦେଖାଯାଇଥିବା ବେଳେ ସନ୍ଧ୍ୟା ହେଲେ ଉପଦ୍ରବ ଆରମ୍ଭ କରୁଛନ୍ତି । ରାତିସାରା ଗ୍ରାମ ଭିତରେ ପଶି ଉପଦ୍ରବ କରିବା ସହ ଅନେକ କ୍ଷେତ ନଷ୍ଟ କରୁଛନ୍ତି । ଫଳରେ ଲୋକେ ଭୟରେ ରାତିରେ ଦୂରର କଥା ଦୀନରେ ମଧ୍ୟ ତାଟି କବାଟ ପକାଇ ରହୁଛନ୍ତି । ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ଛଡାଇ ନେଇଛି ହାତୀ । ପାଦେ ପାଦେ ରହିଛି ସେମାନଙ୍କ ପାଇଁ ବିପଦ । କିନ୍ତୁ ଜରପଡା ବନାଞ୍ଚଳର ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଭିତରେ ଥିବା ତାବଡା ଗାଁର ସ୍ଥିତି ଟିକେ ଅଲଗା ।
ଏଠାରେ ବଣୁଆ ହାତୀପଲଙ୍କ ଗହଣରେ ବିତୁଛି ଜୀବନ । ସବୁବେଳେ ଭୟ ଓ ଆତଙ୍କର ବାତାବରଣ । ଲୋକଙ୍କର ମୁଖ୍ୟ ଜୀବିକା କୃଷି। ଧାନ ବ୍ୟତୀତ ମକା, ଆଖୁ, ପନିପରିବା, ଡାଲି ଜାତୀୟ ଫସଲ କରି ଜୀବିକା ନିର୍ବାହ କରନ୍ତି । ଏବେ ଆଉ କିଛି ହେଉନି । ଯାହା କଲେ ହାତୀ ମୁହଁରେ ଯାଉଛି । ଜଙ୍ଗଲରୁ କାଠ, ବାଉଁଶ, ମହୁଲ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଅନେକ ଲୋକ ପେଟ ପୋଷନ୍ତି । ହାତୀ ଭୟରେ ଜଙ୍ଗଲ ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି । ତେଣୁ ଲୋକଙ୍କର ଜୀବିକା ଠପ ହୋଇ ଯାଇଛି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏଭଳି ପରିସ୍ଥିତିରେ ବଞ୍ଚିବା ସେମାନଙ୍କ ପାଇଁ ଦୁର୍ବିସହ ହୋଇପଡିଛି ।
ତେବେ ବହୁତ ବର୍ଷ ପୂର୍ବରୁ ହିଁ ଗାଁ ମୁହାଁ ହେଉଥିଲେ ହାତୀପଲ । କିନ୍ତୁ ଗତ ୨୦୧୭ ପରଠାରୁ ହାତୀ ଉପଦ୍ରଵ ବଢି ବଢି ଯାଉଛି । ସକାଳ, ଦି ପ୍ରହର, ସନ୍ଧ୍ୟା ଏବଂ ରାତି ସବୁ ସମୟରେ ଗାଁଠାରୁ ଖୁବ ନିକଟରେ ହାତୀ ବୁଲୁଛି । ଲୋକେ ବନ ବିଭାଗକୁ ଖବର ଦେଲେ ବହୁ ଵିଳମ୍ବରେ ଅଳ୍ପ କେତେଜଣ କର୍ମଚାରୀ ଆସି ଗୋଟିଏ ଦୁଇଟି ବାଣ ଫୁଟାଇ ଚାଲି ଯାଉଛନ୍ତି । ଫସଲ କ୍ଷତିପୂରଣ ପାଇଁ ଗତ ୬ବର୍ଷ ହେଲା ଆବେଦନ କରାଯାଉଛି । ହେଲେ କାହାକୁ ଟଙ୍କାଟିଏ କ୍ଷତିପୂରଣ ମିଳିନାହିଁ । କେବଳ ଆବେଦନ ପରେ ଆବେଦନ କରି ଚାଲିଛନ୍ତି ଗ୍ରାମବାସୀ । କିନ୍ତୁ କୌଣସି ସୁଫଳ ମିଳୁ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।
ଗୋଟିଏ ପଟେ ହାତୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଜୀବନ ପ୍ରତି ବିପଦ ରହିଛି । ଅନ୍ୟପଟେ ବନ ବିଭାଗର କୌଣସି ସହାୟତା ଏବଂ ସହଯୋଗ ମିଳୁନି । ତେଣୁ ଗ୍ରାମବାସୀ କଣ କରିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ବର୍ତ୍ତମାନ ସ୍ଥିତିରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସେମାନେ ନିବେଦନ କରିଛନ୍ତି । ଏନେଇ ଜରପଡା ବନାଞ୍ଚଳ ଅଧିକାରୀ କହିଛନ୍ତି, "କ୍ଷତିଗ୍ରସ୍ତ ଚାଷୀ ଅନୁକମ୍ପା ଆପ ଜରିଆରେ ଆବେଦନ କଲେ କ୍ଷତିପୂରଣ ମିଳିବ । ଆମେ ସବୁପ୍ରକାର ଉଦ୍ୟମ କରୁଛୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ । ତେବେ ବନ ଅଧିକାରୀ ଯାହା କହୁଛନ୍ତି ଗ୍ରାମବାସୀ ଆଦୌ ଗ୍ରହଣ କରୁନାହାନ୍ତି ।"
ବନ ବିଭାଗ କେବଳ ହାତୀ ସୁରକ୍ଷା କଥା ଚିନ୍ତା କଲେ ହେବ ନାହିଁ । ମଣିଷମାନେ ମଧ୍ୟ କିଭଳି ସୁରକ୍ଷିତ ରହିବେ ଏବଂ ସେମାନଙ୍କର ଜୀବିକା ବଞ୍ଚିବ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ । ନଚେତ ଏବେ ଯେଉଁଭଳି ଭାବେ ହାତୀ ଗାଁ ମୁହାଁ ହେଲେଣି ଆଉ କିଛି ଦିନ ପରେ ହାତୀ ମଣିଷ ବିବାଦ ନିୟନ୍ତ୍ରଣ ବାହାରକୁ ଚାଲିଯିବ ।
ଇଟିଭି ଭାରତ, ଅନୁଗୋଳ