ଅନୁଗୋଳ: ଚାଳ ଛପର ଝୁମ୍ପୁଡିରେ ବିତୁଛି ଜୀବନ । ସରପଞ୍ଚଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରି କଲେଣି, ହେଲେ କେହି ସେମାନଙ୍କ କଥା ଶୁଣୁନାହାଁନ୍ତି । ଖାଲି ସେତିକି ନୁହେଁ ରାତି ହେଲେ ଜଙ୍ଗଲୀ ଜନ୍ତୁ ସାଜୁଛନ୍ତି ଦାଉ । ଏଭଳି ଦୁଃଖ ଦୁର୍ଦ୍ଦଶାରେ ରହୁଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଜଙ୍ଗଲ ଗାଁ ଲୋକେ ।
ସବୁଆଡେ ଚାଳ ଛପର ଘର । କେଉଁଠି ଘରର ଛପର ଉଡି ଯାଇଛି ତ କେଉଁଠି କାନ୍ଥ ଭାଙ୍ଗି ଗଲାଣି । ଏହିଭଳି ଘରେ ରହୁଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଜଙ୍ଗଲ ଗାଁ ଲୋକେ । ଘର ଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଧାୟକଙ୍କ ପାଖକୁ ଯାଇ ଗୁହାରି କରିଛନ୍ତି ଉକ୍ତ ଗାଁ ଲୋକେ । ହେଲେ ସମସ୍ତେ ଏମାନଙ୍କୁ ମିଛ କହି ଠକି ଥିବା ଏମାନେ ଅଭିଯୋଗ କରିଛନ୍ତି । ସରକାର ଗରିବଙ୍କ ପାଇଁ ମୋ କୁଡିଆଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି କେତେ କଣ ଯୋଜନା କରୁଥିଲେ ବି ଏମାନଙ୍କ ପାଇଁ କିଛି କାର୍ଯ୍ୟକାରୀ ହୋଇନାହିଁ ।
ଖାଲି ପକ୍କା ଘର କଥା ନୁହେଁ ଏମାନଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି ଗାଁର ପ୍ରାୟ ୩୦ଟି ପରିବାର । ଏବେ ଖରା ଦିନ ଥିବାରୁ ପାଣି ମୁନ୍ଦେ ପାଇଁ ସମସ୍ତେ ହେଉଛନ୍ତି ଡହଳ ବିକଳ । ଏହାକୁ ଛାଡିଦେଲେ ଗାଁଟି ଜଙ୍ଗଲକୁ ଲାଗିଥିବାରୁ ସବୁବେଳେ ବନ୍ୟଜନ୍ତୁ ଏମାନଙ୍କ ଉପରେ ଦାଉ ସାଧୁଛନ୍ତି । ବେଳେ ବେଳେ ହାତୀ ଗାଁକୁ ପଶିଆସି ଘର ଦୁଆର ଭାଙ୍ଗି ଦେଉଛି । ଏଭଳି ଅସୁବିଧା କଥା ସରକାରଙ୍କୁ ଜଣେଇଲେ ସୁଦ୍ଧା କେହି ଏମାନଙ୍କ କଥା ଶୁଣୁ ନଥିବା ଏମାନେ ଅଭିଯୋଗ କରିଛନ୍ତି । ସେପଟେ ଏସମ୍ପର୍କରେ ଗାଁର ସରପଞ୍ଚ କିମ୍ବା ନେତାଙ୍କୁ ‘ଇଟିଭି ଭାରତ’ ଟିମ୍ ପ୍ରଶ୍ନ କରିବାରୁ ଆଚରଣ ବିଧି ଲାଗୁ ହେବା ଯୋଗୁଁ ସେମାନେ କୌଣସି ଉତ୍ତର ଦେବାକୁ ନାରାଜ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ