ଅନୁଗୋଳ: ଜିଲ୍ଲାରେ ହୁହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ ୧୦୦ରୁ ଅଧିକ ରହୁଛି । ଗତକାଲି(ରବିବାର) ଜିଲ୍ଲା କୋର୍ଟରେ ୨୦ରୁ ଅଧିକ କର୍ମଚାରୀ ଏବଂ ଓକିଲ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଆଜିଠାରୁ(ସୋମବାର) ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଅନେକ କର୍ମଚାରୀ ଏବଂ ଓକିଲଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେବା ନେଇ ଅନୁମାନ କରାଯାଉଛି । ପୋଲିସ କୋର୍ଟ ପରିସରରେ ପଇଁତରା ମାରୁଛି । କୋର୍ଟ ପରିସରରେ ଥିବା ସମସ୍ତ ଦୋକାନଗୁଡ଼ିକୁ ବନ୍ଦ କରିବାକୁ କୁହାଯାଇଛି ।
ଯେଉଁମାନେ ବିଭିନ୍ନ କାମରେ କୋର୍ଟକୁ ଆସୁଛନ୍ତି ସେମାନଙ୍କୁ ୧୫ଦିନ ପର୍ଯ୍ୟନ୍ତ ନ ଆସିବାକୁ ପରାମର୍ଶ ଦିଆଯାଉଛି । ତେବେ କୋର୍ଟ କାମ ବନ୍ଦ ରହିଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ବାରମ୍ବାର କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ