ଅନୁଗୋଳ: ଜିଲ୍ଲାରେ ବର୍ତ୍ତମାନ ମରୁଡ଼ିର ଆଶଙ୍କା ଦେଖା ଦେଇଛି । ଅନୁଗୋଳରେ ଆବଶ୍ୟକ ବର୍ଷା ଅଭାବରୁ ଧାନ ତଳି ପୋଡ଼ି ଗଲାଣି। ଜମି ଫାଟି ଆଁ କଲାଣି । ଜଳ ସେଚନ ଅଞ୍ଚଳରେ କିଛି କିଛି ଜମିରେ ଚାଷୀମାନେ ଧାନରୁଆ କାମ କରୁଛନ୍ତି । କିନ୍ତୁ କେଉଁ ଜଳସେଚନ ପ୍ରକଳ୍ପରେ ପାଣି ମଧ୍ୟ ନାହିଁ । ଆଉ ଦୁଇ ତିନି ଦିନ ମଧ୍ୟରେ ବର୍ଷା ନହେଲେ ଜଳସେଚନ ପ୍ରକଳ୍ପରେ ମଧ୍ୟ ପାଣି ଶୁଖିଯିବ। ଯେଉଁ ସମୟରେ ଧାନକ୍ଷେତ ସବୁଜିମାରେ ଭରପୁର ହେବା କଥା ସେହି ସମୟରେ ଜମି ପଡିଆ ପଡ଼ି ଗାଈଗୋରୁ ଚରୁଛନ୍ତି । ଏହାକୁ ନେଇ ଅନୁଗୋଳ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି ।
ଚଳିତ ମାସରେ ଜିଲ୍ଲାରେ ମାତ୍ର ୭୬ ମିଲିମିଟର ବୃଷ୍ଟିପାତ ହୋଇଛି । କୃଷି ବିଭାଗ ରେକର୍ଡ ଅନୁସାରେ ଗତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୫୮୬ ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ବର୍ଷାର ଦେଖାନାହିଁ । ପରିଣାମ ସ୍ୱରୂପ ଏବେ ଶୁଖିଲା ପଡ଼ିଛି ଜିଲ୍ଲାର ଦୁଇଟି ବ୍ଲକ ଲାଇଫଲାଇନ କୁହାଯାଉଥିବା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ । ପ୍ରକଳ୍ପରେ ଯେଉଁ ସ୍ଥାନରେ ପାଣି ରହିବା କଥା ସେଠାରେ ଗାଈ ଚରୁଥିବା ଦେଖା ଦେଉଛି । ଗତବର୍ଷ ଏହି ଦିନରେ ପ୍ରକଳ୍ପରେ ୧୪୮ ମିଟର ପାଣି ରହିଥିଲା। କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୪୩ ମିଟର ପାଣି ଅଛି । ଦୈନିକ କେନାଲରୁ ୪.୫ କ୍ୟୁବିକ ମିଟର ପାଣି ଛଡା ଯାଉଛି।
ଏହାଛଡ଼ା ସେହି ପ୍ରକଳ୍ପରୁ ଅନୁଗୋଳ ସହରକୁ ପିଇବା ପାଣି ପାଇଁ ଦୈନିକ ୪୦ ଲକ୍ଷ ଲିଟର ପାଣି ଅଣା ଯାଉଛି । ତେଣୁ ଆଉ ମାତ୍ର କିଛି ଦିନ ପରେ ପ୍ରକଳ୍ପରୁ ପାଣି ଛାଡିବା ସମ୍ଭବ ହେବ ନାହିଁ । କେନାଲ ପାଣି ଉପରେ ଭରସା କରି ଯେଉଁ ଚାଷୀ ରୁଆ ବେଉଷଣ କରିଛନ୍ତି, ସେମାନେ ମଧ୍ୟ ପ୍ରମାଦ ଗଣିଲେଣି ।
କୃଷି ବିଭାଗ ରେକର୍ଡ ମୁତାବକ ଚାଷ କାର୍ଯ୍ୟ ପାଇଁ ପ୍ରତିବର୍ଷ ହାରାହାରି ପ୍ରାୟ ୯୦୦ମିଲିମିଟର ବୃଷ୍ଟିପାତ ହେବା ଆବଶ୍ୟକ । ଚଳିତ ବର୍ଷ ତାହା ହୋଇନଥିବାରୁ ବର୍ତ୍ତମାନ ଏକ ପ୍ରକାର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଧାନ ରୁଆ ହୋଇ ପାରୁ ନାହିଁ। ଯେଉଁ ଚାଷୀମାନେ ଧାନ ବୁଣିଥିଲେ ସେମାନେ ବେଉଷଣ କରି ପାରୁନାହାନ୍ତି। ବିଲରେ କେଉଁଠି ଧାନ ତଳି ଶୁଖି ଗଲାଣି ତ ଆଉ କେଉଁଠି ହଳଦିଆ ପଡି ଗଲାଣି। ଆଉ କେତେକ ବିଲରେ ଆଉ ତଳି ରୁଆ ଉପଯୋଗୀ ହୋଇ ରହି ନାହିଁ। ଯୁଆଡେ ଚାହିଁଲେ ଏକର ଏକର ଜମି ପଡିଆ ପଡ଼ି ଗୋଚର ଜମି ପାଲଟିଛି ।
ଜିଲ୍ଲାରେ ପରିସ୍ଥିତି ଭୟଙ୍କର ହୋଇ ପଡ଼ିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୧ହଜାର ହେକ୍ଟର ଜମିରେ ବୁଣା ଏବଂ ରୁଆ ହୋଇଛି । ଆହୁରି ୨୦ହଜାର ହେକ୍ଟରରୁ ଅଧିକ ଜମିରେ ଚାଷୀ ହଳ ମଧ୍ୟ କରି ପାରି ନାହାନ୍ତି । ବର୍ତ୍ତମାନ ବର୍ଷା ହେଲେ ମଧ୍ୟ ଆଉ ଚାଷ ହୋଇ ପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି । ଜିଲ୍ଲାରେ ଉପୁଜିଥିବା ବର୍ତ୍ତମାନ ସ୍ଥିତିକୁ ନେଇ କୃଷି ବିଭାଗ ଚିନ୍ତାରେ ଥିବା ବେଳେ ବିକଳ୍ପ ଚାଷ ପାଇ ଯୋଜନା କରାଯାଉଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ