ଅନୁଗୋଳ: କୋରୋନାର କଟକଣା ଯେ କିଭଳି ମଣିଷର ଜୀବନ ଆଉ ଜୀବିକାକୁ ପ୍ରଭାବିତ କରୁଛି ଏହି ଚିତ୍ର ତାହା ବୟାନ କରୁଛି । ଅନୁଗୋଳ ଜିଲ୍ଲାର ବାଳୁକଟା ପଞ୍ଚାୟତ ଶାବଳଭଙ୍ଗା ଗାଁ ମୁଣ୍ଡରେ ରହିଆସୁଥିବା ଏକ ବସ୍ତିର ଚିତ୍ର ଏଇ । ପ୍ରାୟ ୩୦ଟି ପରିବାର ସରକାରୀ ଜମିରେ ଝାଟିମାଟି ନଡ଼ା ଛପର ଘରେ ରୁହନ୍ତି। ଗାଁ ଗାଁ ବୁଲି କନ୍ଥା ସିଲେଇ କରି ଯାହା ମିଳେ ସେଥିରେ ପରିବାର ଚଳନ୍ତି । ହେଲେ ପ୍ରାୟ ୧ ମାସ ହେଲା ସେମାନଙ୍କ କାମରେ ପଡି ଯାଇଛି ତାଲା । କୋରୋନା କଟକଣା ଯୋଗୁଁ ଏବେ ସେମାନଙ୍କୁ ଗାଁକୁ ଯିବାକୁ ବାରଣ କରାଯାଇଛି । ଯଦି କେହିବି ଲୁଚିଛପି କୌଣସି ଗାଁ କୁ ଯାଉଛନ୍ତି ଲୋକେ ତାଙ୍କୁ ଗାଁ ଭିତରେ ପୁରାଇ ଦେଉନାହାନ୍ତି। ତେଣୁ ସେମାନଙ୍କ ଜୀବିକା ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଯାହା କିଛି ଥିଲା ସବୁ ଶେଷ ହୋଇଗଲା । ଏବେ ଭୋକ ଉପାସରେ ରହୁଛନ୍ତି।
ଭୋକର ଜ୍ବାଳା ସେମାନଙ୍କ ପାଇଁ ଅସହ୍ୟ ହୋଇ ପଡିଛି। ପିଲାମାନେ ବୁଲି ବୁଲି ଆମ୍ବ ଓ ତାଳ ସଜ ସଂଗ୍ରହ କରି ଖାଇ ଭୋକ ମେଣ୍ଟାଉଛନ୍ତି। ଲୋକେ ଚିନ୍ତାରେ କିଏ ଗଛ ମୂଳେ ତ ଆଉ କିଏ ବାରଣ୍ଡାରେ ବସି ଦିନ କାଟୁଛନ୍ତି। ଏ ସମୟରେ ବାହାରେ ମୂଳ ମଜୁରୀ ମଧ୍ୟ ମିଳୁନି। ସରକାରୀ ଜମିରେ ଘର କରି ରହି ଥିବାରୁ ସମସ୍ତଙ୍କୁ ସରକାରୀ ଚାଉଳ ଓ ଅନ୍ୟ ସହାୟତା ମିଳୁନି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ କେହି ଆସୁ ନାହାନ୍ତି। ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରିଥିଲେ। ।
ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ଏବେ ଦୋ ଛକିରେ। ଏଠାରେ ରହୁଥିବା ଶତାଧିକ ଶିଶୁଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ। କଟକଣା କେବେ କୋହଳ ହେବ ସେହି ସମୟକୁ ଚାତକ ପରି ଚାହିଁ ବସିଛନ୍ତି ବସ୍ତିର ଲୋକେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ