ଅନୁଗୋଳ: ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥର ସାନ୍ତରାପୁରଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଚାଲିଯାଇଛି ୩ ଜଣଙ୍କ ଜୀବନ । ଦୁର୍ଘଟଣା ପରେ ରାସ୍ତାରୋକଠାରୁ ଆରମ୍ଭ କରି ପୋଲିସ ସହ ଗଣ୍ଡଗୋଳ କରିଥିଲେ ଲୋକେ । ଯାହାକୁ ନେଇ ୩ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ସେପଟେ ପୋଲିସ ରକ୍ତ ଜୁଡୁବୁଡୁ ମୃତଦେହକୁ ଉଦ୍ଧାର କରିଛି ।
ମୃତକମାନେ ନିକଟସ୍ଥ କୁଲେଇ ଗାଁର ସିପୁ ପ୍ରଧାନ, ସୁନୀଲ ସାହୁ ଏବଂ ମାନସ ବେହେରା । ସେମାନେ ସମସ୍ତେ ଏକ ଘରୋଇ କାରଖାନାରେ ଚାକିରି କରୁଥିଲେ । ସେମାନେ ଏକ ବାଇକ ଯୋଗେ ନିଜ ଗାଁରୁ ଜରପଡା ଯାଉଥିଲେ । ହଠାତ ଅପର ପାର୍ଶ୍ଵରୁ ଆସୁଥିବା ଏକ ପରିବା ବୋଝେଇ ପିକ୍ ଅପ ଭ୍ୟାନ ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣା ଘଟିବା ପରେ ପିକ ଅପ ଭ୍ୟାନ ଚାଳକ ସେଠାରୁ ଫେରାର ହୋଇଯାଇଛି । ଜରପଡା ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଏହା ବି ପଢନ୍ତୁ- ଖରା ଆରମ୍ଭରୁ ଜଳ କଷ୍ଟ, ନାଳ ପାଣି ଭରସାରେ 200ରୁ ଅଧିକ ପରିବାର
୩ ମୃତକଙ୍କ ମଧ୍ୟରୁ ଜଣେ ଦୁର୍ଘଟଣା ପରେ ଜୀବିତ ଥିବା ଭାବି ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟ ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୋଳ ଏସଡିପିଓ, ଜରପଡା ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଫଳରେ ଦୀର୍ଘ ସମୟ ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ । ଘଟଣାକୁ ନେଇ ପୁରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ରାତି ହୋଇଥିବାରୁ ଏପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ହୋଇନଥିବା ଜଣାପଡ଼ିଛି ।
ସେପଟେ ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ସାଧାରଣରେ ଚର୍ଚ୍ଚା ହୋଇଛି । ଅଧିକାଂଶ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବା ବେଳେ ଅକାଳରେ ଅନେକ ନିରୀହ ଜୀବନ ଯାଉଛି । ସେପଟେ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନକୁ ମଧ୍ୟ ଦାୟୀ କରାଯାଇଛି । ଡ୍ରାଇଭର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ଅକାଳ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଖେଳାଇଛି ଶୋକର ଛାୟା ।
ଇଟିଭି ଭାରତ, ଅନୁଗୋଳ