ଅନୁଗୋଳ: ଚାକିରି ଦେବା ନାଁରେ ଠକେଇ ଅଭିଯୋଗ। ଏନେଇ ଅନୁଗୋଳ ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୋଳ ଟାଉନ ଥାନା ରାଜକିଶୋରପଡ଼ା ରଞ୍ଜନ କୁମାର ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଥାନା ଇଲାକାର ରଞ୍ଜନ କୁମାର ସାହୁ । ଏନେଇ ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି।
ଖବର ଥାଉକି, ଗତବର୍ଷ ଡିସେମ୍ବର ୫ ତାରିଖ ଦିନ ଏକ ଦୈନିକ ଖବରକାଗଜରେ ଏକ ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ସେଥିରେ ଓଡ଼ିଶାର ବିଭିନ୍ନ ଶିଲ୍ପାଞ୍ଚଳ ସୁନ୍ଦରଗଡ଼ , କେନ୍ଦୁଝର, ଝାରସୁଗୁଡା , ଅନୁଗୋଳ , ଢେଙ୍କାନାଳ ଓ କଟକ ପାଇଁ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ପ୍ରାର୍ଥୀ ଆବଶ୍ୟକ ବୋଲି ବିଜ୍ଞାପନ ଦିଆଯାଇଥିଲା ।
ବିଜ୍ଞାପନ ପଢ଼ି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ରହୁଥିବା ପି.ଧର୍ମା ରାଓ ନିଜ ପୁଅ ପାଇଁ ଚାକିରି ଆବେଦନ କରିଥିଲେ । ଆବେଦନ ଫର୍ମକୁ ବିଜ୍ଞାପନରେ ଦିଆଯାଇଥିବା ଇମେଲକୁ ପଠାଇଥିଲେ । ଏହାର କିଛି ସମୟ ପରେ ଏକ ମୋବାଇଲ ନମ୍ବରରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା ।
ପଞ୍ଜୀକରଣ ପାଇଁ ୫୨ ହଜାର ଟଙ୍କା ଦେବାକୁ ହେବ ବୋଲି କୁହାଯାଇଥିଲା । ପୁଅ ପାଇଁ ଚାକିରି ବ୍ୟସ୍ତ ଥିବା ପି. ଧର୍ମା ରାଓ ଫୋନ୍ ପେ ‘ଜରିଆରେ ୫୨ ହଜାର ଟଙ୍କା ପଠାଇଥିଲେ । ଟଙ୍କା ପଠାଇବା ପରେ ନିଯୁକ୍ତି ପତ୍ର ମାଗିବାରୁ ଠକ ଫୋନ୍ କାଟି ଦେଇଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ଏନେଇ ସେ ଅନୁଗୋଳ ଏସପିକୁ ଜଣାଇଥିଲେ।
ଏପିଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଅନୁଗୋଳ ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ତିନି ଅଭିଯୁକ୍ତଙ୍କୁ ଧରିବା ରେ ସକ୍ଷମ ହୋଇଥିଲା ପୋଲିସ। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ୩ ବ୍ୟାଙ୍କ ପାସବୁକ , ୩ ଟି ଏଟିଏମ କାର୍ଡ , ୩ ଟି ମୋବାଇଲ ଫୋନ , ପ୍ୟାନ କାର୍ଡ , ଆଧାର କାର୍ଡ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ