ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା କଟରଙ୍ଗ ଗାଁର ୧୭ଟି ପରିବାରକୁ ବିସ୍ଥାପନ ତାଲିକାରୁ ବାଦ ଦିଆଯାଇଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବାଦ ପଡିଥିବା ପରିବାର ସଦସ୍ୟମାନେ ଏନେଇ ସାତକୋଶିଆ କର୍ତ୍ତୃପକ୍ଷ ଏବଂ ପ୍ରଶାସନକୁ ଭେଟି ସେମାନଙ୍କୁ ପୁଣି ଥରେ ତାଲିକାଭୁକ୍ତ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସେମାନେ ନ୍ୟାୟ ପାଳିକାର ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି। ଯାହାକି ଉଭୟ ବନ ବିଭାଗ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇପଡି଼ଛି ।
ଜିଲ୍ଲାରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗତ ୨୦୧୭ରେ ରାଇଗୁଡା ଗାଁ ଉଚ୍ଛେଦ ହୋଇଛି । ଏବେ କଟରଙ୍ଗ ଗାଁ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଆଗକୁ ଅସନବାହଲ, ଟୁଲୁକା ସମେତ ଆଉ କେତୋଟି ଗାଁ ଉଚ୍ଛେଦ କରାଯିବା ପାଇଁ ଯୋଜନା ଚାଲିଛି । ଏହି ସବୁ ଗାଁ ଗୁଡିକ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଏରିଆ ଭିତରେ ଅଛି। ତେଣୁ ଉଚ୍ଛେଦ କରିବା ଜରୁରୀ ହୋଇପଡି଼ଛି ।
ତେବେ ବର୍ତ୍ତମାନ କଟରଙ୍ଗ ଗାଁ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଏଥିପାଇଁ ପଲ୍ଲିସଭା, ଗାଁ ସଭା ଏବଂ ଅନ୍ୟ ଯାହା ସବୁ ପ୍ରକ୍ରିୟା ରହିଛି ତାହା ପ୍ରଶାସନ ପକ୍ଷରୁ ଶେଷ ହେବା ପରେ ଲୋକେ ଗାଁ ଛାଡ଼ୁଛନ୍ତି । ପ୍ରତ୍ୟକ ପରିବାରକୁ ନଗଦ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉଛି । କଟରଙ୍ଗ ଗାଁରେ ପ୍ରଶାସନ ପକ୍ଷରୁ ୧୨୧ଟି ପରିବାର ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୨ଟି ପରିବାର ଗାଁ ଛାଡି ସାରିଲେଣି । କିନ୍ତୁ ଗାଁର ଆଉ ୧୭ଟି ପରିବାରକୁ ବିସ୍ଥାପନ ତାଲିକାରୁ ବାଦ ଦିଆଯାଇଛି । ସେମାନଙ୍କର ଗାଁରେ ଘର, ଜମି ସବୁ ଅଛି ।
ସମସ୍ତଙ୍କର ଭୋଟ ପରିଚୟ ପତ୍ର, ଆଧାର କାର୍ଡ ଅଛି । କିନ୍ତୁ ପ୍ରଶାସନ ପରିବାର ଚିହ୍ନଟ ବେଳେ ସେମାନଙ୍କୁ ଛାଡି ଦେଇଛି। କାରଣ ଘଞ୍ଚ ଜଙ୍ଗଲ ଭିତରେ କୌଣସି କାମ ଧନ୍ଦା ନପାଇ ସେହି ପରିବାର ଗୁଡିକ ଗାଁ ଛାଡି ପେଟ ପୋଷିବାକୁ ବାହାରେ ରହୁଥିଲେ । ଏଣୁ ପ୍ରଶାସନ ସେତେବେଳେ ସଠିକ ଭାବେ ପରିବାର ଚିହ୍ନଟ କରିବା କଥା । ତାହା କରିନଥିବାରୁ ଏବେ ୧୭ଟି ଗରିବ ପରିବାର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ବାହାରେ ଥିବା ଏହି ୧୭ଟି ପରିବାର ଲୋକେ ଗାଁ ଛାଡୁଥିବା ଖବର ପାଇ ଗାଁରେ ପହଞ୍ଚି ଜାଣିବାକୁ ପାଇଲେ ବିସ୍ଥାପନ ତାଲିକାରେ ସେମାନଙ୍କ ନାଁ ନାହିଁ । ଏଣୁ ସେମାନେ ସାତକୋଶିଆ DFO, ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ । ଗାଁରେ ସେମାନଙ୍କର ସବୁ କିଛି ଥାଇ ମଧ୍ୟ କାହିଁକି ସେମାନଙ୍କୁ ବିସ୍ଥାପନ ତାଲିକାରୁ ବାଦ ଦିଆଗଲା ବୋଲି ପ୍ରଶ୍ନ କରିଥିଲେ । ପୁଣି ଥରେ ପଲ୍ଲୀସଭା, ଗ୍ରାମସଭା କରି ବାଦ ପଡି଼ଥିବା ପରିବାର ଗୁଡିକୁ ତାଲିକାଭୁକ୍ତ କରିବାକୁ ଦାବି କରିଛନ୍ତି ।
ନଚେତ ଆଗାମୀ ଦିନରେ ସେମାନେ ବାଧ୍ୟ ହୋଇ ନ୍ୟାୟ ପାଳିକାର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ସାତକୋଶିଆ ଡିଏଫଓ କହିଛନ୍ତି, "ଗାଁ ଉଚ୍ଛେଦ କରିବା ଏବଂ ବିସ୍ଥାପନ ପ୍ରକ୍ରିୟା କେବଳ ପ୍ରଶାସନର କ୍ଷମତା । ତେଣୁ ଆମେ ସ୍ଥାନୀୟ ତହସିଲଦାରଙ୍କୁ ଚିଠି ଲେଖିଥିଲୁ । ତହସିଲଦାର ଯେଉଁ ତାଲିକା ପ୍ରସ୍ତୁତ କଲେ ସେହି ତାଲିକା ଆଧାରରେ ଆମେ ସେମାନଙ୍କୁ କ୍ଷତିପୂରଣ ଦେଇଛୁ । ଯେଉଁ ୧୭ଟି ପରିବାର ତାଲିକାଭୁକ୍ତ ହୋଇନଥିବା ଅଭିଯୋଗ କରିଛନ୍ତି ସେମାନେ ଚିହ୍ନଟ ବେଳେ ଗାଁରେ ନଥିଲେ ।"
"ନୂଆ ନିୟମ ଅନୁସାରେ ଯେଉଁମାନେ ଜମି ଥିଲେ ମଧ୍ୟ ଗାଁରେ ରହୁ ନଥିବେ ସେମାନଙ୍କୁ ବିସ୍ଥାପନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ। ଏବେ ଏଠାରେ ଭୁଲ କୋଉଠି ରହିଲା ତାହା ପ୍ରସଙ୍ଗ ନୁହେଁ। କିନ୍ତୁ ଏହି ପରିବାର ଗୁଡିକ ନିଜର ଭିଟାମାଟି ହରାଇ କୌଣସି କ୍ଷତିପୂରଣ ପାଇ ନପାରିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ" ବୋଲି ଆଇନଜୀବୀ ମାନେ କହୁଛନ୍ତି। ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଫେଲ ମାରିବା ପରେ ଏବେ ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ସଫଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି । ସେଥିପାଇଁ ଜଙ୍ଗଲ ଭିତରେ ଥିବା ଗାଁ ଗୁଡିକୁ ଗୋଟିଏ ପରେ ଗୋଟିଏ ଉଚ୍ଛେଦ କରାଯାଉଛି । କିନ୍ତୁ ବନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ଦାୟିତ୍ବହୀନତା ପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ।
ଇଟିଭି ଭାରତ, ଅନୁଗୋଳ