ଅନୁଗୋଳ: ରାଜ୍ୟରେ କୋରୋନା ମହାମାରୀର କାୟା ଦ୍ରୁତଗତିରେ ପ୍ରସାରିତ ହେଉଥିବା ବେଳେ ସଂକ୍ରମିତଙ୍କ ସୁସ୍ଥ ହେବା ଏକ ପ୍ରକାର ଆଶ୍ବସ୍ତି ଦେଉଛି । ଏହି କ୍ରମରେ ଶୁକ୍ରବାର ଅନୁଗୋଳ ଜିଲ୍ଲାରେ 15 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ଏହି ସୂଚନା ଦେବା ପରେ ଅନୁଗୋଳ ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜାରି କରି ସବିଶେଷ ତଥ୍ୟ ରଖିଛନ୍ତି ।
ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ଗତ 10 ତାରିଖରେ ଗୋଟିଏ ଦିନରେ ଦୁଇଟି ପର୍ଯ୍ୟାୟରେ 15 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାର 11 ଦିନ ପରେ ସମସ୍ତ ଆକ୍ରାନ୍ତଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଶୁକ୍ରବାର ସମସ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଚ୍ଚ କରାଯାଇଛି ।
ଡିସଚାର୍ଜ ପରେ ସେମାନଙ୍କୁ ସରକାରୀ କ୍ଵାରେନଣ୍ଟଟାଇନ ରଖାଯିବ । ଯେଉଁମାନଙ୍କର ହୋମ କ୍ଵାରେନଣ୍ଟାଇନ ବ୍ୟବସ୍ଥା ରହିଛି ସେମାନେ ହୋମ କ୍ଵାରେନଣ୍ଟାଇନରେ ରହିପାରିବେ । ଅନୁଗୋଳ ଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର କୋଭିଡ କେୟାର ସେଣ୍ଟର ମଧ୍ୟ ରହିଛି । ଆଗାମୀ 14 ଦିନ ପର୍ଯ୍ୟନ୍ତ ସେମାନଙ୍କ ତଦାରଖ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ପ୍ରକାଶ ଥାଉ କି, ଅନୁଗୋଳରେ ବର୍ତ୍ତମାନ ପର୍ଯ୍ୟନ୍ତ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 15 ଜଣ ସୁସ୍ଥ ହେବା ପରେ ଜିଲ୍ଲାରେ ଏବେ 4ଟି ମାମଲା ସକ୍ରିୟ ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ