ଭୁବନେଶ୍ବର: FIH ହକି ପ୍ରୋ ଲିଗର 2ୟ ସଂସ୍କରଣ ଆଜିଠୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ଘରୋଇ ଦଳ ବିଶ୍ବର ନମ୍ବର-3 ଦଳ ନେଦରଲାଣ୍ଡକୁ ଭେଟୁଛି । ତେବେ ଲିଗର ପ୍ରଥମ ସଂସ୍କରଣ ଖେଳିନଥିବା ଭାରତୀୟ ଦଳ ପାଇଁ ଏହା ପ୍ରଥମ ଲଢେଇ ହେବ । ସେପଟେ ଆଗକୁ ଟୋକିଓ ଅଲମ୍ପିକକୁ ନଜରରେ ରଖି ଭାରତୀୟ ଦଳ ପ୍ରଦର୍ଶନ ଉପରେ ରହିଛି ହକି ପ୍ରେମୀଙ୍କ ନଜର ।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ କ'ଣ କ'ଣ ଚ୍ୟାଲେଞ୍ଜ ରହିବ ସେ ବିଷୟରେ ମୁଖ୍ୟ କୋଚ ଗ୍ରାହମ ରିଡ୍ ପ୍ରେସମିଟରେ ସୂଚନା ଦେଇଥିଲେ । କୋଚ ରିଡ୍ ପୂର୍ବରୁ ନେଦରଲାଣ୍ଡସ ଦଳର ସହାୟକ କୋଚ ରହିସାରିଛନ୍ତି । ଫଳରେ ଭାରତ ପାଇଁ ଏହା ଲାଭଦାୟକ ହେବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ 2018 ହକି ବିଶ୍ବକପର ସେମିଫାଇନାଲରୁ ଭାରତୀୟ ଦଳକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ବାହାର ରାସ୍ତା ଦେଖାଇଥିଲା ବିପକ୍ଷ ନେଦରଲାଣ୍ଡ । ତେଣୁ ଆଜିର ମ୍ୟାଚରେ ବିଶ୍ବକପର ବଦଲା ନେବାକୁ ତୟାର ଘରୋଇ ଦଳ ।
ତେବେ ଦୀର୍ଘ 6ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ 9ଟି ଦଳ ଭାଗ ନେଇଛନ୍ତି । ପ୍ରତ୍ୟେକ ଦଳ 16ଟି ଲେଖାଏଁ ମ୍ୟାଚ ଖେଳିବେ । ହୋମ ଗ୍ରାଉଣ୍ଡରେ 8ଟି ମ୍ୟାଚ ଓ ବାହାରେ 8ଟି ମ୍ୟାଚ ଖେଳିବେ ପ୍ରତି ଟିମ । ତାଲିକାର ଶ୍ରେଷ୍ଠ 4 ଦଳ ଟ୍ରଫି ମୁକାବିଲାରେ ସାମିଲ ହେବେ ।
ତେବେ ଘରୋଇ ଷ୍ଟାଡିୟମରେ ଆଜି(ଶନିବାର) ଓ ଆସନ୍ତାକାଲି (ରବିବାର) ନେଦରଲାଣ୍ଡ ସହ ଦୁଇଟି ମ୍ୟାଚ ଖେଳିବ । ସେହିପରି ବିଶ୍ବବିଜେତା ବେଲଜିୟମ ସହ ଫେବୃୟାରୀ 8 ଓ 9ତାରିଖରେ ଦୁଇଟି ମ୍ୟାଚ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃୟାରୀ 22 ଓ 23ରେ ଦୁଇଟି ମ୍ୟାଚ ଖେଳିବ ଘରୋଇ ଦଳ । ବାକି ମ୍ୟାଚ ଦେଶ ବାହାରେ (ଜର୍ମାନୀ, ବ୍ରିଟେନ ଓ ନ୍ୟୁଜିଲାଣ୍ଡ)ରେ ଖେଳିବ ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ