ଭୁବନେଶ୍ବର: 140 କୋଟି ଲୋକଙ୍କ ଦେଶ ଭାରତ । ଆଉ ଭାରତରେ କ୍ରୀଡାର ସ୍ଥାନ କାହିଁ କେତେ ଉପରେ । ଆଉ ସମସ୍ତ କ୍ରୀଡା ମଧ୍ୟରୁ ହକିର ସ୍ଥାନ ନକହିବା ଭଲ । କ୍ରିକେଟ ପ୍ରିୟ ଦେଶରେ ହକି ଦେଶବାସୀଙ୍କ ଦିଲ୍-ଦିମାଗ ଏବଂ ଧଡକନରେ । ଆଉ ହକିର ସମସ୍ତ ଖେଳାଳି ଦେଶର ଶାନ୍ । ଏକଦା ହକିରେ ବିଶ୍ବରେ ରାଜ କରୁଥିଲା ଭାରତ । ଆଉ ହକି ତାରକାଙ୍କୁ ମିଳୁଥିଲା ଢେର ପ୍ରଶଂସା ଏବଂ ପ୍ରୋତ୍ସାହନ । କିନ୍ତୁ ଧୀରେ ଧୀରେ ବଦଳିଲା ସମୟ । ହକିର ପାଓ୍ବାରହାଉସ୍ ଭାରତରେ ହକିର ଲୋକପ୍ରିୟତା କମିବାକୁ ଲାଗିଥିଲା । ଦେଶବାସୀଙ୍କ ହୃଦୟରେ ଘର କରିଥିବା ଏହି କ୍ରୀଡା ସମୟାନୁସାରେ ଲୋକଙ୍କ ମନରୁ ଲିଭୁଥିଲା । ହେଲେ ହଠାତ୍ ପୁଣି ଦେଶରେ ଉପରମୁହାଁ ହକି ଫିଭର । ପିଲାଠୁ ବୃଦ୍ଧ ସମସ୍ତେ ହକି କ୍ରେଜରେ ମସଗୁଲ । ଚାରିଆଡେ ସେଲିବ୍ରେସନ, ଚାରିଆଡେ ଚର୍ଚ୍ଚା । ଆଉ ଏହା ସମ୍ଭବ ହୋଇପାରିଛି ଅଲମ୍ପିକରେ ଭାରତର ଉଭୟ ଟିମର ଦମଦାର ପ୍ରଦର୍ଶନ ପାଇଁ । ମରୁଭୂମିରେ ଅଚାନକ ଅସରାଏ ବର୍ଷା ପରି, ଅଲମ୍ପିକରେ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତି ଦୀର୍ଘ ଦିନର ପଦକ ମରୁଡି ଶେଷ କରିଛି । ଆଉ ତାପରେ ଦେଶର କୋଣ ଅନୁକୋଣରେ ହକି ହକି ...
ହେଲେ ହଠାତ୍ ପୁଣି କାହିଁକି ବୃଦ୍ଧି ପାଇଲା ହକି ଫିଭର ? ଏହି ଐତିହାସିକ ବିଜୟ କେତେ ଗୁରୁତ୍ବପୂର୍ଣ୍ଣ ? ଅଲମ୍ପିକ୍ ମେଡାଲ ବିଜୟ ପରେ ଦେଶରେ କଣ ହେବ ହକିର ଭବିଷ୍ୟତ ? ଆଉ ହକି ପାଇଁ ଉଠିଥିବା ଜୁଆରରେ ପଡିବନି ତ ଭଟ୍ଟା ? ଏ ସମସ୍ତ ପ୍ରଶ୍ନ ଏବେ ପ୍ରତିଟି ଦେଶବାସୀଙ୍କ ମନରେ ଉଙ୍କି ମାରୁଛି । ତେବେ ଅଲମ୍ପିକରେ ଉଭୟ ଦଳର ଚମତ୍କାର, ଆକର୍ଷଣୀୟ ଏବଂ ଦର୍ଶନୀୟ ପ୍ରଦର୍ଶନ ଦେଶରେ ହକିର ଭବିଷ୍ୟତ ସ୍ଥିର କରିବ ନିଶ୍ଚିତ । ହୃଦୟ ଭିତରେ ଘର କରିଥିବା ହକି ପୁଣି ଫେରିପାଇବ ତାର ହଜିଲା ପରିଚୟ । ଆଉ ହକି ପାଇଁ ସ୍ବପ୍ନ ଦେଖୁଥିବା ପ୍ରତିଟି ଯୁବକ/ଯୁବତୀଙ୍କୁ ଯୋଗାଇବା ଭରପୁର ପ୍ରେରଣା ।
ତେବେ ନଜର ପକାନ୍ତୁ ଏହି ଐତିହାସିକ ବିଜୟ କେତେ ଗୁରୁତ୍ବପୂର୍ଣ୍ଣ ।
1. କ୍ରିକେଟ ଭଳି ଭାରତରେ ହକିର ଲୋକପ୍ରିୟତା ବଢିବ
2. ଆସନ୍ତା ଅଲମ୍ପିକରେ ଗୋଲ୍ଡ ପାଇଁ ଦଳ ପ୍ରସ୍ତୁତି କରିବ
3. ପୁଣି ଅନ୍ତର୍ଜାତୀୟ ସ୍ତରରେ ହକିରେ ଭାରତର ଦବଦବା ବଢିବ
4. ହକି ଖେଳାଳିଙ୍କ ଷ୍ଟାରଡମ୍ ବଢିବ
5. ହକିକୁ ଦେଶରେ ପ୍ରଚାର ପ୍ରସାର ଏବଂ ପ୍ରୋତ୍ସାହନ ମିଳିବ
ଅଲମ୍ପିକର ସେହି ଇତିହାସ ରଚନାକାରୀ ମୁହୂର୍ତ୍ତର ମୁକସାକ୍ଷୀ ସାଜିଥିବା ପ୍ରତିଟି ଦେଶବାସୀଙ୍କ ମଧ୍ୟରେ ନିଶ୍ଚିତ ହକି ଲୋକପ୍ରିୟତା ହାସଲ କରିବ । ଫଳରେ ଦେଶରେ ହକିର ପ୍ରଚାର, ପ୍ରସାର ଏବଂ ପ୍ରୋତ୍ସାହନ ପୂର୍ବାପେକ୍ଷା ଢେର ବୃଦ୍ଧି ପାଇବ । ଆଉ ହକି ପୁଣି ଫେରିପାଇବ ଗୌରବମୟ ଅଲିଭା ଫର୍ଦ୍ଦ । ତେବେ ଦେଶରେ ହକିର ପୁନର୍ଜନ୍ମ ଏବଂ ସ୍ବର୍ଣ୍ଣିମ ଯୁଗର ପ୍ରତ୍ୟାବର୍ତ୍ତନ ପାଇଁ ସବୁଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ହେଉଛି । ଦେଶର ସବୁ ବର୍ଗର ଲୋକେ ନବୀନଙ୍କୁ ଶୁଭେଚ୍ଛା ପ୍ରଦାନ କରୁଛନ୍ତି । ଆଉ ଅନ୍ୟମାନେ ମଧ୍ୟ ଓଡିଶା ମଡେଲକୁ ଅନୁସରଣ ପାଇଁ ଦାବି ଦେଉଛି ।
ତେବେ ଜାଣନ୍ତୁ ହକି ପାଇଁ କଣ ରହିଛି ‘ଓଡିଶା ମଡେଲ୍’ ?
ଅଲମ୍ପିକରେ ପୁରୁଷ ହକି ଟିମ୍ 41 ବର୍ଷ ପରେ ସେମିରେ ପ୍ରବେଶ କରିଥିଲା । ସେମି ମୁକାବିଲାରେ ପରାଜୟ ପରେ ଜର୍ମାନୀକୁ କାଂସ୍ୟ ମ୍ୟାଚରେ ପରାସ୍ତ କରି ମେଡାଲ ବିଜୟୀ ହୋଇଛି । ସେହିପରି 3ୟ ଥର ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ମହିଳା ହକି ଦଳ ମଧ୍ୟ ସେମି ଟକ୍କରରେ ପରାସ୍ତ ହୋଇ କାଂସ୍ୟ ମ୍ୟାଚ ଖେଳିଥିଲା । ଗ୍ରେଟ୍ ବ୍ରିଟେନଠାରୁ 4-3 ଗୋଲରେ ଲଢୁଆଳ ଖେଳ ପ୍ରଦର୍ଶନ କରି ପରାସ୍ତ ହୋଇଛି । ତେବେ ଦୁଇ ଦଳର ଦମଦାର ପ୍ରଦର୍ଶନ କେବଳ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପାଇଁ ସମ୍ଭବ ହୋଇଥିବା ଚର୍ଚ୍ଚା ହେଉଛି । ଯେତିକି ବେଳେ ହକିକୁ ସାହାରାର ଆବଶ୍ୟକତା ଥିଲା ଆଉ ସମସ୍ତେ ପଛଘୁଞ୍ଚା ଦେଇଥିଲେ, ଠିକ୍ ସେତିକି ବେଳେ ଆଗେଇ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । କେବଳ ହକିର ପ୍ରାୟୋଜକ ହୋଇନଥିଲେ ରାଜ୍ୟ ସରକାର ବରଂ ହକିର ସମସ୍ତ ଦାୟିତ୍ବ ମୁଣ୍ଡକୁ ନେଇଥିଲେ । ଯଥା-
2017: ହକି ଇଣ୍ଡିଆ ଲିଗରେ ସାମିଲ ହେଲା ରାଜ୍ୟ ସରକାରଙ୍କ ପ୍ରାୟୋଜିତ କଳିଙ୍ଗ ଲାନ୍ସର ଟିମ୍
2018: ଭାରତୀୟ ହକି ଦଳର ପ୍ରାୟୋଜକରୁ ଓହରିଲା ସାହାରା ଇଣ୍ଡିଆ
2018: ରାଜ୍ୟ ସରକାର-ହକି ଇଣ୍ଡିଆ ମଧ୍ୟରେ 5ବର୍ଷ ପାଇଁ ହେଲା ପ୍ରାୟୋଜକ ଚୁକ୍ତି । ସବୁ ବର୍ଗର ଟିମ୍ ଏବଂ ହକିର ଉନ୍ନତି ପାଇଁ 150 କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ହୋଇଥିବା ଚିକ୍ତିକୁ, ଦେଶ ପାଇଁ ଓଡିଶାର ଗିଫ୍ଟ କହିଥିଲେ ନବୀନ ।
2018: ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ବକପ୍
2019: FIH MEN'S SERIES FINALS ଏବଂ ଅଲମ୍ପିକ୍ କ୍ବାଲିଫାୟାର-2019 ମ୍ୟାଚ ଅନୁଷ୍ଠିତ ହୋଇଥିଲା
2020: ଏଫଆଇଏଚ୍ ପ୍ରୋ ଲିଗ୍ 2020 ଅନୁଷ୍ଠିତ ହୋଇଥିଲା
2023: ରାଜ୍ୟରେ ଅନୁଷ୍ଠିତ ହେବ 2023 ହକି ବିଶ୍ବକପ । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ
ଆଉ ହକିର ଏହି ନୂଆ ଯୁଗର ମହାନାୟକ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପୂର୍ବୋତ୍ତରରେ ଅବସ୍ଥିତ ରାଜ୍ୟ ଓଡିଶା ଏବଂ ହକିର ସମ୍ପର୍କ ସ୍ବତନ୍ତ୍ର ଏବଂ ଐତିହାସିକ । ମାଇକେଲ୍ କିଣ୍ଡୋଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀପ ତିର୍କୀ, ଅମିତ ଏବଂ ବିରେନ୍ଦ୍ରଙ୍କ ସମେତ ଅନେକ ଖେଳାଳି ଓଡିଶାରୁ ହକି ମୈଦାନକୁ ଓହ୍ଲାଇଛନ୍ତି । ଆଉ ରାଜ୍ୟ ହକିର ପ୍ରାଣକେନ୍ଦ୍ର ବା ଏନ୍ତୁଡିଶାଳ ଭାବେ ସୁନ୍ଦରଗଡ ପରିଚିତ । ଆଉ ରାଜ୍ୟର ଏହି ହକି ଲିଗାସିକୁ ଆଗକୁ ନେଇଥିଲେ ନବୀନ । ଟ୍ୟାଲେଣ୍ଟ ହଣ୍ଟିଂ ଜରିଆରେ ନୂଆ ଏବଂ ପ୍ରତିଭାବାନ ଖେଳାଳି ଚୟନ, ସରକାରୀ ହଷ୍ଟେଲରେ ସେମାନଙ୍କୁ ଅତ୍ୟାଧୁନିକ ପଦ୍ଧତିରେ କୋଚିଂ ବ୍ୟବସ୍ଥା, ସୁନ୍ଦରଗଡ, ମୟୂରଭଞ୍ଜ ଏବଂ ସମ୍ବଲପୁର ଭଳି ଅଞ୍ଚଳରେ ହକିର ବ୍ୟାପକ ପ୍ରସାର, ରାଜ୍ୟ କ୍ରୀଡା ବଜେଟରେ ବୃଦ୍ଧି, ବଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ । ଏହାସହିତ ହକି ପାଇଁ ଅତ୍ୟାବଶ୍ୟକ ଆଷ୍ଟ୍ରୋ ଟର୍ଫ ମଧ୍ୟ 17ଟି ସ୍ଥାନରେ ପକାଉଛି ଓଡିଶା । ଯାହା ଦେଶର ଅନ୍ୟ କୌଣସି ରାଜ୍ୟ ସରକାର ହକି ପାଇଁ କରିନାହାଁନ୍ତି । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ହାଇ ପରଫରମାନ୍ସ ସେଣ୍ଟର ନିର୍ମାଣ ଚାଲିଛି ଏବଂ ସେଠାରେ ପ୍ରଶିକ୍ଷଣ ଦିଆଯାଉଛି ।
ଏହା ସହିତ ରାଜ୍ୟର କ୍ରୀଡାବିତ ମଧ୍ୟ ହକିରେ ଅନେକ ପୁରସ୍କାର ଏବଂ ମେଡାଲ ଜିତିଛନ୍ତି । ନ୍ୟାସନାଲ ଇଭେଣ୍ଟ, ଚମ୍ପିଆନସିପ୍, ସବ-ଜୁନିଅର ଏବଂ ସିନିଅର ବର୍ଗରେ ଦେଶରେ ଉଭୟ ମହିଳା ଏବଂ ପୁରୁଷ ଇଭେଣ୍ଟେରେ ଗତ 10 ବର୍ଷ ଧରି ଚମତ୍କାର ପ୍ରଦର୍ଶନ କରିଛି ରାଜ୍ୟ । ଏହା ସହିତ ରାଜ୍ୟ ସରକାରଙ୍କ ମୋ ସରକାର ଅଧିନରେ ସମସ୍ତ କ୍ରୀଡାସମ୍ପର୍କିତ କାର୍ଯ୍ୟର ତତ୍ବାବଧାନ ହେଉଛି । ଆଉ ଏସବୁ ପଦକ୍ଷେପ ପାଇଁ ସୋସିଆଲ ମିଡିଆରେ ନବୀନ ହକିର ହୃଦସ୍ପନ୍ଦନ ପଢିଥିବା କୁହାଯାଉଛି ।
ତେବେ ହକିର ବ୍ୟବସାୟିକ ଲାଭକୁ ନଦେଖି ନବୀନ ଯେଭଳି 5 ବର୍ଷ ପାଇଁ 150 କୋଟିର ଚୁକ୍ତି କରିଛନ୍ତି ଏବଂ ସାଇଲେଣ୍ଟ ଷ୍ଟେପ୍ ନେଇ କ୍ରୀଡାର ଉନ୍ନତିକରଣ କରୁଛନ୍ତି, ତାକୁ ଚାରିଆଡେ ପ୍ରଶଂସା ମିଳୁଛି । ଆଉ ଏହି ‘ଓଡିଶା ମଡେଲ’କୁ ଅନ୍ୟ ରାଜ୍ୟ ସରକାରମାନେ ଆପଣାନ୍ତୁ ବୋଲି ମତପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ