ଲଣ୍ଡନ: ୱିମ୍ବଲଡନ ଓପନ ପ୍ରଥମ ରାଉଣ୍ଡରୁ ଓହରିଗଲେ 23 ଥରର ଗ୍ରାଣ୍ଡସ୍ଲାମ ବିଜେତା ସେରେନା ୱିଲିୟମ୍ସ । ପ୍ରଥମ ରାଉଣ୍ଡରେ ଆହତ ହେବା ପରେ ସେ ୱିମ୍ବଲଡନ ଓପନରୁ ଓହରିବାକୁ ବାଧ୍ୟ ହୋଇଛନ୍ତି । ପ୍ରଥମ ମ୍ୟାଚ ସେ ବେଲାରୁସର ଆଲିଆକସାନ୍ଦ୍ରା ସାସନୋବିଚଙ୍କ ସହ ମୁକାବିଲା ହୋଇଥିଲା । ତେବେ ଏହି ମ୍ୟାଚ ଖେଳୁଥିବାବେଳେ ସେ କୋର୍ଟ ମଧ୍ୟରେ ଖସି ପଡ଼ିଥିଲେ ।
ସେରେନା ଓ ଆଲିଆକସାନ୍ଦ୍ରାଙ୍କ ମଧ୍ୟରେ ହୋଇଥିବା ମ୍ୟାଚର ପ୍ରଥମ ସେଟ 3-3 ସେଟରେ ବରାବର ଥିଲା । ଏହି ସମୟରେ କୋର୍ଟ ମଧ୍ୟରେ ସେରେନାଙ୍କ ଗୋଡ଼ ଖସି ଯାଇଥିଲା । ଏହାପରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ । ଯାହା ଫଳରେ ସେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ରିଟାୟର ହେବାକୁ ପଡ଼ିଛି ।
ଆହତ ହେବା ପରେ ସେରେନା ଫିଜିଓ ଡକାଇ ମେଡିକାଲ ଟାଇମ ଆଉଟ ନେଇଥିଲେ । ତେବେ ଏହାପରେ ମଧ୍ୟରେ ସେ ମ୍ୟାଚ ଖେଳିବା ପାଇଁ ସକ୍ଷମ ହୋଇ ପାରିନଥିଲେ । କିଛି ସମୟ ମ୍ୟାଚ ଖେଳିବା ପରେ ସେ ରିଟାୟର ହେବାକୁ ନିଷ୍ପତ୍ତି ନେଇଥିଲେ।
ଏହାକୁ ନେଇ ସେରେନା ସୋସିଆଲ ମଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, "ଗୋଡ଼ ଆଘାତପ୍ରାପ୍ତ ହେବାପରେ ୱିମ୍ବଲଡନ ମ୍ୟାଚରୁ ମୋତେ ଓହରିବାକୁ ପଡ଼ିଛି । ଏଥିପାଇଁ ଅତ୍ୟନ୍ତ ଦୁଃଖିତ । ମୁଁ ମୋର ଟିମ ଓ କୋର୍ଟ ମଧ୍ୟରେ ଥିବା ମୋର ପ୍ରଶଂସକଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ସେଣ୍ଟର କୋର୍ଟରେ ମୁଁ ପ୍ରଥମ ଥର ଖେଳୁଥିଲି । ସେହି ମାହୋଲ ଅତ୍ୟନ୍ତ ଖୁସି ଦାୟକ ଥିଲା ।"
ସାତଥର ୱିମ୍ବଲଡନ ବିଜୟୀ ହୋଇଛନ୍ତି ସେରେନା ୱିଲିୟମସ । ସେ ନିଜର ଶେଷ ୱିମ୍ବଲଡନ ଏକକ ବର୍ଗ ଖେଳୁଥିଲେ । କିନ୍ତୁ ଏଭଳି ଭାବରେ ୱିମ୍ବଲଡନରୁ ବାଦ ପଡ଼ିବା ତାଙ୍କୁ ବ୍ୟଥିତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ