ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ସ୍କଟଲାଣ୍ଡ ଦଳ । ଏହି ମ୍ୟାଚ ପାଇଁ ସ୍କଟଲାଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଅଧିନାୟକ କାଇଲ କୁଜର ଓ ଆଲସାଡର ଇଭାନ ଚୂଡ଼ାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ମ୍ୟାଚ ବିଜୟୀ ହୋଇ ପାରିନାହିଁ ସ୍କଟଲାଣ୍ଡ ଦଳ । ସେପଟେ ପୂର୍ବ ମ୍ୟାଚରେ ଭାରତକୁ ମାତ ଦେଇ ନ୍ୟୁଜିଲାଣ୍ଡର ମନୋବଳ ସୁଦୃଢ଼ ରହିଛି ।
ଏହି ମ୍ୟାଚରେ ସ୍କଟଲାଣ୍ଡ ପାଖରେ କିଛି ହରାଇବାକୁ ନାହିଁ । କିନ୍ତୁ ଏହି ମ୍ୟାଚରେ ବିଜୟୀ ହେଲେ ନ୍ୟୁଜିଲାଣ୍ଡର ସେମିଫାଇନାଲ ରାସ୍ତା ସହଜ ହୋଇ ପାରିବ । ପୂର୍ବରୁ ଏହି ଗ୍ରୁପରେ ଦମଦାର ପ୍ରଦର୍ଶନ କରି ପାକିସ୍ତାନ ସେମିଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ଆଉ ଗୋଟିଏ ଦଳ ଏହି ଗ୍ରୁପରୁ ସେମିଫାଇନାଲକୁ ଉନ୍ନୀିତ ହେବ ।
ଟସ୍ ଜିତିବା ପରେ ସ୍କଟଲାଣ୍ଡର ଅଧିନାୟକ କାଇଲ କୁଜର କହିଛନ୍ତି ଯେ, "ଆମେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବୁ । ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଟାର୍ଗେଟ ଦେଇ ମ୍ୟାଚ ବିଜୟୀ ହେବା କଷ୍ଟକର ଦେଖା ଦେଇଛି । ଆହତ ଜନିତ ସମସ୍ୟା ଯୋଗୁଁ ଏହି ମ୍ୟାଚରୁ ଡାଭି ଓ ୱାଲେସଙ୍କୁ ବିଶ୍ରାମ ଦିଆଯାଇଛି । ଆମେ ଚ୍ୟାଲେଞ୍ଜ ନେବାକୁ ପ୍ରସ୍ତୁତ ଅଛୁ । ଆମେ କୌଣସି ଦଳକୁ ଭୟ କରୁନାହୁଁ । ପଡ଼ିଆରେ ଆମେ ଆମର ପ୍ରକୃତ ଖେଳ ପ୍ରଦର୍ଶନ ଉପରେ ଅଧିକ ଧ୍ୟାନ ଦେବାକୁ ଚେଷ୍ଟା କରିବୁ । ଆମ ଫ୍ୟାନମାଙ୍କୁ ଖୁସି ଦେବାକୁ ଯଥା ସମ୍ଭବ ଚେଷ୍ଟା କରିବୁ ।"
ସେପଟେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ୍ କହିଛନ୍ତି ଯେ, "ଆମେ ବି ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । ଏହି ପିଚ୍ ବ୍ୟାଟିଂ ପାଇଁ ଅନୂକୁଳ ମନେ ହେଉଛି । ତେବେ ଆଜି ଆମେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ଆମେ ଆମ ଷ୍ଟାଣ୍ଡାର୍ଡ ବଢାଇବାକୁ ଚେଷ୍ଟା କରିବୁ । ଆମ ଖେଳାଳିମାନେ ବିଭିନ୍ନ ରୋଲରେ ଭଲ ପ୍ରଦର୍ଶନ କରିଛନ୍ତି । ଆଜି ମଧ୍ୟ ତାହା କରିବାକୁ ଆମର ଚେଷ୍ଟା ରହିବ ।"
ନ୍ୟୁଜିଲାଣ୍ଡ ଚୂଡ଼ାନ୍ତ ଏକାଦଶ
ମାର୍ଟିନ ଗୁପ୍ଟିଲ୍, ଡାରଲ ମିଚେଲ, କେନ ୱିଲିୟମସନ୍, ଡେଭନ କନୱେ, ଜେମସ୍ ନିଷମ, ଗ୍ଲେନ ଫିଲପ୍ସ, ମିଚେଲ ସାଣ୍ଟନର, ଆଦାମ ମିଲନେ, ଟିମ ସାଉଦି, ଇଶ ସୋଢ଼ି, ଟ୍ରେଣ୍ଟ ବୋଲ୍ଟ
ସ୍କଟଲାଣ୍ଡ ଚୂଡ଼ାନ୍ତ ଏକାଦଶ
ଜର୍ଜ ମୁନସି, କାଇ କୁଜର, ମାଥ୍ୟୁ କ୍ରସ୍, ରିଜି ବେରିଂଟନ, କାଲମ ମ୍ୟାକଲିୟଡ, ମାଇକେଲ ଲିସ୍କ, କ୍ରୀଶ ଗ୍ରେଭାସ, ମାର୍କ ୱାଟ, ସାଫିୟାନ ସରିଫ, ଆଲାସାଡିର ଇଭାନ, ବ୍ରାଡଲି ହ୍ୱେଲ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ