ହାଇଦ୍ରାବାଦ: ବର୍ଷ ୨୦୧୬ । ଆନ୍ତର୍ଜାତୀୟ ଅଲମ୍ପିକ୍ କ୍ରୀଡ଼ାରେ ଭାରତର ପଦକ ଜିତିବା ଲକ୍ଷ୍ୟ ସମ୍ବନ୍ଧରେ ନିତି ଆୟୋଗ ଏକ ପ୍ରସ୍ତାବ ରଖିଲେ। ଏଥିରେ କୁହାଗଲା ଯେ ୨୦୨୪ ଅଲମ୍ପିକ୍ରେ ଯେମିତି ଭାରତ ୫୦ ପଦକ ଜିତିବ ସେଥିଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରି ତାହାକୁ ହାସଲ କରିବା ଦିଗରେ ପ୍ରସ୍ତୁତି ଆରମ୍ଭ କରୁ। କ୍ରୀଡ଼ା ମନ୍ତ୍ରଣାଳୟ ସମେତ ଅନ୍ୟ ପ୍ରାଧିକରଣ ଏଥିଲାଗି ସ୍ଵଳ୍ପ ଓ ଦୀର୍ଘକାଳୀନ ରଣନୀତି ପ୍ରସ୍ତୁତ କରିବା ଲାଗି ମଧ୍ୟ ଆୟୋଗ ଆହ୍ବାନ ଦେଲେ। ଏହା ଦେଶର ଯୁବାବର୍ଗଙ୍କ ଭିତରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କଲା।
ପରେ ପରେ ଏହି ଟାର୍ଗେଟ୍କୁ ବାସ୍ତବ ରୂପ ଦେବା ପାଇଁ ଦାୟିତ୍ଵ ଉଠାଇଲା ଭାରତୀୟ ଅଲମ୍ପିକ୍ ସଂଘ (ଆଇଓଏ)। ଆଠବର୍ଷର ସମୟ ପରେ ଏବେ ସଂଘ ଯେଉଁପରି ଭାବେ ଆଚରଣ କରୁଛି ଆଉ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଛି ତାହାକୁ ଦେଖିଲେ ନିତି ଆୟୋଗଙ୍କ ଲକ୍ଷ୍ୟ ବାସ୍ତବତାଠାରୁ ଅନେକ ଦୂରକୁ ଚାଲିଗଲା ପରି ଅନୁଭବ ହେଉଛି। ଏହାର କିଛି ଉଦାହରଣ ନିମ୍ନରେ ରଖାଯାଇପାରେ।
ଛଅ ମାସ ପୂର୍ବରୁ ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଥିଲେ ଯେ, ୨୦୨୧ ଆନ୍ତର୍ଜାତିକ ଅଲମ୍ପିକ କମିଟି (ଆଇଓସି) ଅଧିବେଶନକୁ ଅନୁଷ୍ଠିତ କରାଇବା ପାଇଁ ଭାରତ ଯୋଗସୂତ୍ରରେ ରହିଛି। ସେହିପରି ୨୦୨୬ ଯୁବ ଅଲମ୍ପିକ, ୨୦୩୦ ଏସିଆନ୍ ଗେମ୍ସ ଆୟୋଜନ କରିବାକୁ ମଧ୍ୟ ଭାରତ ଚେଷ୍ଟା କରୁଥିବା ନେଇ ସେ ସୂଚନା ଦେଇଛନ୍ତି। ଏହାବାଦ୍ ଆନ୍ତର୍ଜାତିକ ସ୍ତରରେ କ୍ରୀଡ଼ା ମହୋତ୍ସବ ସବୁ ଆୟୋଜନ କରିବାକୁ ଭାରତ ଯେମିତି ଅଣ୍ଟା ଭିଡ଼ିଛି ବା ଲବି ଚଲାଇଛି ତାହାକୁ ଦେଖିଲେ ଦେଶ ପାଖରେ ଏହି ଆୟୋଜନ ତାଲିକା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୨୬ କିମ୍ବା ୨୦୩୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବା ଲାଗି ଆଇଓଏ ଆବଶ୍ୟକ ପଦକ୍ଷେପ ନେଉଛି। ଯଦି ଏହା ସଫଳ ହୁଏ ତେବେ ୨୦୩୧ ଅଲମ୍ପିକ୍ କ୍ରୀଡ଼ା ଆୟୋଜନ କରିବା ଭାରତ ପାଇଁ ସହଜ ହୋଇପାରିବ ବୋଲି ବି ସେ କହିଛନ୍ତି। ଅର୍ଥାତ ଭାରତ ଏବେ କ୍ରୀଡ଼ାବିତ୍ ସୃଷ୍ଟି କରିବା ଅପେକ୍ଷା ଏଠାରେ ଆନ୍ତର୍ଜାତିକ କ୍ରୀଡ଼ା ଉତ୍ସବ କିପରି ଆୟୋଜନ ହୋଇପାରିବ ସଥିରେ ଅଧିକ ଧ୍ୟାନ ଦେଉଛି।
ଏବର୍ଷ ଜାପାନ ଅଲମ୍ପିକ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ଏଥିଲାଗି ପ୍ରାରମ୍ଭିକ ସ୍ତରରେ ଯାହା ଆକଳନ କରାଯାଇଥିଲା ସେଇ ଖର୍ଚ ଏବେ ତାହାର ତିନିଗୁଣା ପାର୍ କରି ପ୍ରାୟ ୧ଲକ୍ଷ ୮୫ ହଜାର କୋଟିରେ ପହଞ୍ଚିଛି। ଏଥିରୁ ଆକଳନ କରନ୍ତୁ ୨୦୩୨ ବେଳକୁ ଏ ଖର୍ଚ କେତେ ହୋଇଥିବ!
ମିଳିଥିବା ରିପୋର୍ଟରୁ ଜଣାଯାଏ ଯେ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଦକ୍ଷିଣ ଓ ଉତ୍ତର କୋରିଆ ଏବଂ ଜର୍ମାନି ୨୦୩୨ ଅଲମ୍ପିକ୍ସକୁ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେମାନେ ଏଥିଲାଗି ପ୍ରସ୍ତୁତି ବି କରୁଛନ୍ତି। ଏ ଭିତରେ ଭାରତ ୧୬ଟି ଅନ୍ୟ ଆନ୍ତର୍ଜାତିକ କ୍ରୀଡ଼ା ଟୁଣ୍ଣାମେଣ୍ଟ ଆୟୋଜନ ପାଇଁ ବିଶ୍ଵସ୍ତରରେ ଆଗ୍ରହ ପ୍ରକାଶ କରିଛି। ଏଥିରୁ କିଛି ଇଭେଣ୍ଟ ବାବଦରେ ଏଯାଏ ନିର୍ଣ୍ଣୟ ନିଆଯାଇ ନାହିଁ। ହେଲେ ୨୦୩୨ ଅଲମ୍ପିକ୍ ଆୟୋଜନ ପାଇଁ ଯେଉଁ ଖର୍ଚ୍ଚ ହେବ ତାହା କେଉଁଠୁ ଆସିବ ତଥା ତାହାର ଆର୍ଥିକ ପରିଣାମ କ’ଣ ହେବ ସେ ବାବଦରେ ଚିନ୍ତା ନକରି ଆଇଓଏ ଅଲମ୍ପିକ୍ ଆୟୋଜନ ପାଇଁ ଅଣ୍ଟା ଭିଡ଼ିବା ସମସ୍ତଙ୍କୁ ଚକିତ କରିଛି।
ଅନ୍ତେର୍ଜାତିକ ସ୍ତରରେ ସିଓଲ, ଲଣ୍ଡନ ଏବଂ ବାର୍ସିଲୋନା ଭଳି ସହର ଏପରି ଅଲମ୍ପିକ୍ କ୍ରୀଡ଼ା ଆୟୋଜନ କରି ଅନେକ ଲାଭ ଅର୍ଜନ କରିଛନ୍ତି। ସେଥିରେ ଦେଶର ଭିତ୍ତିଭୂମି ବିକାଶ ହେବା ସାଙ୍ଗକୁ ସେମାନଙ୍କୁ ଆନ୍ତର୍ଜାତିକ ସ୍ତରରେ ସୁନାମ ବି ମିଳିପାରିଛି। ପର୍ଯ୍ୟଟନ ଶିଳ୍ପର ବି ଅଭିବୃଦ୍ଧି ହୋଇଛି । ଅର୍ଥାତ ଅଲମ୍ପିକ କ୍ରୀଡ଼ା ଆୟୋଜନ କଲେ ଦେଶର ସମ୍ମାନ, ପର୍ଯ୍ୟଟନ ଓ ଅର୍ଥନୀତିକ ବିକାଶ ହେବା ଉଦାହରଣ ରହିଛି। ହେଲେ ଏମିତି ବି ଉଦାହରଣ ରହିଛି ଯାହା ସୂଚନା ଦେଉଛି ଯେ, ଅଲମ୍ପିକ ଆୟୋଜନ କରି ସମ୍ପୃକ୍ତ ଦେଶ ତଳିତଳାନ୍ତ ହୋଇପଡ଼ିଛି। ଅର୍ଥାତ୍ ଇଭେଣ୍ଟ ପରେ ପର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି।
ଏ ବାବଦରେ ମଧ୍ୟ କିଛି ଉଦାହରଣ ଦିଆଯାଇପାରେ। କ୍ୟାନାଡ଼ା ଭଳି ରାଷ୍ଟ୍ର ସମ୍ମାନଜନକ ମୋଣ୍ଟେରିଲ୍ ବିଶ୍ଵ କ୍ରୀଡ଼ା-୧୯୭୬ର ସଫଳ ଆୟୋଜନ ପରେ ଏପରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା ଯେ ତାହାକୁ ଭରଣା କରିବା ଲାଗି ଦେଶକୁ ପାଖାପାଖି ୪ ବର୍ଷ ସମୟ ଲାଗିଥିଲା। ୨୦୦୪- ଏଥେନ୍ସ ଅଲମ୍ପିକ୍ ପରେ ଗ୍ରୀସ୍ରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଏଯାଏଁ ପିଛା ଛାଡ଼ୁ ନାହିଁ। ଦକ୍ଷିଣ ଆଫ୍ରିକୀୟ ଓ ବ୍ରାଜିଲ୍ରେ ଫିଫା ବିଶ୍ଵକପ୍ ଆୟୋଜନ ପାଇଁ ନିର୍ମାଣ ହୋଇଥିବା ବିଶାଳ ଷ୍ଟାଡିୟମ ଏବେ ଖାଲି ପଡ଼ିଛି। ଏହି ପରିପ୍ରେକ୍ଷୀରେ ଭାରତ କଥା ବି ବିଚାର କରାଯାଉ। ୧୦ ବର୍ଷ ପୂର୍ବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଲାଗି ସରକାର ଯେଉଁ ବିଶାଳ ଭିତ୍ତିଭୂମି ବିକାଶ କରିଥିଲେ ତାହା ଏବେ ଅବ୍ୟବହୃତ। ସେତେବେଳେ ଜବାହାରଲାଲ ନେହରୁ ଷ୍ଟାଡିୟମର ନବୀକରଣ ପାଇଁ ୯୬୦ କୋଟି ଟଙ୍କା ଖର୍ଚ ହୋଇଥିଲା। ଏହିଠାରେ କ୍ରୀଡ଼ାର ଉଦଘାଟନ ଓ ଉଦଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ହେଲେ ଉତ୍ସବ ସରିଲା ଦିନଠାରୁ ଷ୍ଟାଡିୟମ ଖାଲି ପଡ଼ିଛି। ଅବ୍ୟବହୃତ ହୋଇ ପଡ଼ିବା ଏହା ସୂଚନା ଦେଉଛି ଯେ, ଯେଉଁ ୯୬୦ କୋଟି ଟଙ୍କା ଆମେ ଖର୍ଚ୍ଚ କରିଛୁ ତାହା ବେକାର ଥିଲା। ସେହିପରି ଏହି କ୍ରୀଡ଼ର ଲାଗି ସେତେବଳେ ଶହ ଶହ କୋଟି ଟଙ୍କା ଖର୍ଚ କରାଯାଇ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା ହେଲେ ସେସବୁ ଏବେ ଅବ୍ୟବହୃତ ହୋଇ ପଡ଼ି ରହିବା ଏବଂ ତାହାର ରକ୍ଷଣା ବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ କରିବା କେବଳ ‘ଧଳା ହାତୀ ପାଳିବା’ ସଦୃଶ ହୋଇଛି। ଏହିଭଳି ଅବସ୍ଥା ଅନ୍ୟ କିଛି ରାଷ୍ଟ୍ରରେ ମଧ୍ୟ ଦେଖିବାକୁ ମିଳେ। ଅପରପକ୍ଷେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଶେଷ ହେବା ପରେ ପରେ ଦିଲ୍ଲୀରେ ଯେଉଁ ଘଟଣାଟି ସମସ୍ତଙ୍କ ପାଇଁ ଚର୍ଚାର ବିଷୟ ହୋଇଥିଲା ତାହା ହେଲା ଦୁର୍ନୀତି। ଏଯାଏ ଲୋକଙ୍କୁ ଏହା ଜଣା ନାହିଁ ଯେ, ଯେଉଁ ଦୁର୍ନୀତି ଅଭିଯୋଗ ଆସିଥିଲା ସେ ବାବଦରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା ନା ନାହିଁ। ଏହିପରି ଦୁର୍ନୀତିର ଯେମିତି ପୁନରାବୃତ୍ତି ନହେବ ସେଥିଲାଗି ସରକାର ଓ ଅଲମ୍ପିକ୍ ସଂଘ କି ପଦକ୍ଷେପ ନେଇଛନ୍ତି ତାହାବି ସ୍ପଷ୍ଟ ନୁହେଁ। ଏସବୁଥିରୁ ନିଜକୁ ନ ମୁକୁଳାଇ ଭାରତୀୟ ଅଲମ୍ପିକ୍ ସଂଘ ଏବେ ଖାଲି ଅଧିକରୁ ଅଧିକ ଆନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ପାଇଁ ଲାଗିପଡ଼ିଛି।
ଚାରିବର୍ଷ ପୂର୍ବେ ହୋଇଥିବା ଅଲମ୍ପିକ୍ରେ ଆମର ଏହି ଭାରତ ଉପ ମହାଦେଶ ମାତ୍ର ଦୁଇଟି ମେଡାଲ୍ ଜିତିଥିଲା। ଅର୍ଥାତ୍ ୬୫କୋଟି ଲୋକଙ୍କ ଭାଗରେ ଗୋଟିଏ ମେଡାଲ୍ ପଡ଼ିଥିଲା। ଯେଉଁ ଦେଶ ଦକ୍ଷିଣ ଏସିଆ ଗେମ୍ସ୍ର ବନ୍ଧୁକ ଚାଳନା, ବକ୍ସିଂ, ଜୁଡୋ, ଟାଇକୋଣ୍ଡୋ ପ୍ରଭୃତି କ୍ରାଡ଼ାରେ ସର୍ବାଧିକ ସଂଖ୍ୟାରେ ମେଡାଲ୍ ଜିତି ପାରିଥିଲା ତାହାର ପ୍ରଦର୍ଶନ ବିଶ୍ଵ କ୍ରୀଡ଼ା ଚାମ୍ପିୟନଶିପ୍ ଓ ଅଲମ୍ପିକ୍ରେ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଏହା ଗୋଟିଏ ବର୍ଷର ଫଳାଫଳ ତାହା ନୁହେଁ, ଭାରତ ପାଇଁ ଏକ ସ୍ଵାଭାବିକ ଜିନିଷ। ସେତେବଳେ ଅଳ୍ପକିଛି ଆନ୍ତର୍ଜାତୀୟ କ୍ରୀଡ଼ାରେ ଭାରତ ପ୍ରତିଦ୍ଵନ୍ଦ୍ଵୀଙ୍କୁ କଡ଼ା ଟକ୍କର ଦେଇଥିବା ଲକ୍ଷ୍ୟ କରି ତତ୍କାଳୀନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅଜୟ ମାକେନ୍, ଅଗଷ୍ଟ ୨୦୧୨ ମସିହାରେ ଦୃଢ଼ୋକ୍ତି ପ୍ରକାଶ କଲେ ଯେ, ଭାରତ ଆସନ୍ତା ଅଲମ୍ପିକରେ ଅତିକମରେ ୨୫ଟି ମେଡାଲ୍ ପାଇବ। ଏହି ଆସ୍ଥା ବଢ଼ାଇବା ଭଳି ଭାଷଣର ଆଉ ଏକ ପାଦ ଆଗକୁ ଯାଇ ବର୍ତ୍ତମାନର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜ୍ଜୁ କହିଛନ୍ତି ଯେ, ଭାରତ ୨୦୨୪ ଏବଂ ୨୦୨୮ ଅଲମ୍ପିକରେ ପ୍ରଥମ ୧୦ ପଦକ ବା ସ୍ଵଣ୍ଣ ପଦକ ଜିତିବ। ଯଦି ଏହା ସରକାରଙ୍କ ଇଚ୍ଛା ଏବଂ ଏହାକୁ ପ୍ରତିପାଦନ କରିବାକୁ ଚାହାଁନ୍ତି, ବିଭିନ୍ନ ସମୟରେ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ବ୍ୟସ୍ତ ନରହି କ୍ରୀଡ଼ାବିତଙ୍କୁ ଆବଶ୍ୟକ ଅଭ୍ୟାସ ତଥା ତାଲିମ ଦେବା ପାଇଁ ନିୟୋଜିତ କରିବା ଆବଶ୍ୟକ। ଆଜିକୁ ଅନେକ ବର୍ଷ ହେଲା ଏ ବାବଦରେ ଧାରଣା ରଖିଥିବା ବିଶେଷଜ୍ଞ କହୁଛନ୍ତି ଯେ, ଭାରତରେ କ୍ରୀଡ଼ା ବିଫଳ ହେବାର ମୁଖ୍ୟ କାରଣ ହେଉଛି ଆମର ସ୍କୁଲ୍ ସ୍ତରରୁ ପିଲାଙ୍କୁ ଆବଶ୍ୟକ କ୍ରୀଡ଼ା ତାଲିମ ଓ ପ୍ରୋତ୍ସାହନ ଦିଆଯାଉ ନାହିଁ। ଚୀନ୍ର କ୍ରୀଡ଼ାବିତ ସୁଫଳ ପାଇବାର କାରଣ ହେଲା ସେଠାରେ ପିଲାବେଳୁ କ୍ରୀଡ଼ା ପ୍ରତି ଧ୍ୟାନ ଦିଆଯାଉଛି। ପାଖାପାଖି ୮୫ ଲକ୍ଷ ଛୋଟ ବଡ଼ କ୍ରୀଡ଼ା କେନ୍ଦ୍ର ସେଣ୍ଟର ବିଭିନ୍ନ ସ୍ଥାନରେ ଗଢ଼ି ଉଠିଛି। ସେଠାରେ ସ୍କୁଲରୁ ହିଁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦ୍ଵିତା କରିବାର ସମ୍ଭାବନା ସୃଷ୍ଟି କରାଯାଉଛି। ଏହି କେନ୍ଦ୍ରରୁ ପିଲାଙ୍କୁ ବାଛି ସ୍ଵତନ୍ତ୍ର ତାଲିମ ଦେବା ସକାଶେ ସାଢ଼େ ତିନି ହଜାର ସ୍ଵତନ୍ତ୍ର କ୍ରୀଡ଼ା କେନ୍ଦ୍ର ଚୀନରେ ଖୋଲା ଯାଇଛି। ଫଳରେ ସେଠାରେ ପିଲା ୪ ବର୍ଷ ବୟସରୁ ଖେଳିବା ପାଇଁ ତୀକ୍ଷ୍ଣ ହୋଇପାରୁଛନ୍ତି। ଆମେରିକାରେ ମଧ୍ୟ ସମାନ ଅବସ୍ଥା। ଏଠାରେ ନ୍ୟାସନାଲ୍ କଲିଜିଏଟ୍ ଆଥଲେଟିକ ଆସୋସିଏସନ୍ ( ଏନ୍ସିଏଏ) ଦ୍ଵାରା କଲେଜ ସ୍ତରରୁ ପିଲାଙ୍କୁ ସ୍ଵତନ୍ତ୍ର ଭାବେ ତାଲିମ ଦିଆଯାଉଛି। ଫଳରେ ଏହା ମେଡାଲ୍ ଇଣ୍ଡଷ୍ଟ୍ରି ଭାବେ ପରିଚିତ ହୋଇପାରିଛି। ହେଲେ ଆମ ଦେଶରେ ତାହାର ଯଥେଷ୍ଟ ଅଭାବ ପରିଲକ୍ଷିତ ହୁଏ।
ଏବେ ଆମେ ଦେଶର ବିଭିନ୍ନ ସ୍କୁଲ୍ରେ ଶାରିରୀକ ଶିକ୍ଷା ଶିକ୍ଷକଙ୍କ ଅଭାବ ଦେଖୁଛୁ। ଅନେକ ସଂଖ୍ୟାରେ ଏପରି ଖାଲିସ୍ତାନ ଦେଖିବାକୁ ମିଳୁଛି। ଶିକ୍ଷା ଅଧିକାର ଆଇନ ଅନୁସାରେ ସମସ୍ତ ସ୍କୁଲରେ ଆବଶ୍ୟକ ଖେଳ ପଡ଼ିଆ ତିଆରି ବ୍ୟବସ୍ଥା ଥିଲେ ମଧ୍ୟ ଅନେକ ଘରୋଇ ସ୍କୁଲ ଏହାକୁ ଜାଣିଶୁଣି ଉଲ୍ଲଙ୍ଘନ କରୁଛନ୍ତି। ସେହିପରି ଅନେକ ସ୍କୁଲରେ ଖେଳିବା ଲାଗି ଜରୁରୀ ଉପକରଣ ରହୁନାହିଁ। ଆମ ଦେଶର ଅତୀତ କ୍ରୀଡ଼ା ଐତିହ୍ୟ ପାଇଁ ଖ୍ୟାତ ହୋଇଥିଲେ ମଧ୍ୟ ଯଦି ଆମର ପ୍ରତିଭା ଓ ସମ୍ପଦକୁ ଆବଶ୍ୟକ ଅନୁସାରେ ପ୍ରସ୍ଫୁଟିତ କରା ନଯିବ ତେବେ ସେହି ଗୌରବ ଫେରାଇ ଆଣିବା ସମ୍ଭବପର ନୁହେଁ।