ଟୋକିଓ: କୋରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ ମଶାଲ ରିଲେ। ଗୁରୁବାର ଫୁକୁସିମାରୁ ଚଳିତ ବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ମଶାଲ ରିଲେର ଶୁଭାରମ୍ଭ ହୋଇଛି। ଏହି ମଶାଲ ରିଲେ 121 ଦିନ ଧରି ଚାଲିବ। ନିରାଡ଼ମ୍ବର ଭାବରେ ଫୁକୁସିମାରେ ମଶାଲ ରିଲେ କରାଯାଇଛି। ସ୍ଥାନୀୟ କେତେକ ବାସିନ୍ଦାଙ୍କୁ ନେଇ ଏହାର ଶୁଭାରମ୍ଭ ହୋଇଛି।
କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥିରେ ସାଧାରଣ ଜନତାଙ୍କୁ ସାମିଲ କରାଯାଇନଥିଲା। ସ୍ଥାନୀୟ ବିଲେଜ ଜାତୀୟ ଫୁଟବଲ ଟ୍ରେନିଂ ସେଣ୍ଟରରୁ ଏହି ମଶାଲ ରିଲେର ଶୁଭାରମ୍ଭ କରାଯାଇଥିଲା। 2011ର ମହିଳା ବିଶ୍ବକପ ବିଜେତା ଦଳର ସଦସ୍ୟା ଏଜୁସା ଇୱାଶିମିଜୁ ପ୍ରଥମେ ମଶାଲ ଧରିଥିଲେ। ଏହାପରେ ସେ ଅନ୍ୟ 14 ଜଣ ସଦସ୍ୟଙ୍କୁ ମଶାଲ ଦେଇଥିଲେ। ଏଥିରେ କୋଚ ନୋରିଓ ସାସାକି ମଧ୍ୟ ସାମିଲ ଥିଲେ।
ଏହାକୁ ନେଇ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତିର ଅଧ୍ୟକ୍ଷ ସେଇକୋ ହୋସିମୋତ କହିଛନ୍ତି ଯେ, "ଏହି ମଶାଲ ଜାପାନବାସୀଙ୍କ ପାଇଁ ଆଶାର ଆଲୋକ। ଗତ ବର୍ଷ କୋରୋନା ମହାମାରୀ ସମୟରେ ମଶାଲରେ ଶାନ୍ତ ଥିଲା ସତ କିନ୍ତୁ ଏହା ଜାପାନକୁ ଅଲିମ୍ପିକ୍ସ ପାଇଁ ସାହାସ ଦେଇଥିଲା।"
ଏହି ମଶାଲ ଜାପାନର 47ଟି ପ୍ରାନ୍ତରେ ବୁଲିବ। ଶେଷରେ ଜୁଲାଇ 23 ତାରିଖରେ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ପହଞ୍ଚିବ। ସେହିଦିନରୁ ଅଲିମ୍ପିକ୍ସର ମହାକୁମ୍ଭ ଆରମ୍ଭ ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ