ଭୁବନେଶ୍ବର: ସାଉଥ ୱେଷ୍ଟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଓଡିଶା ଦଳ 3ୟ ସ୍ଥାନ ହାସଲ କରିଛି । ମହାରାଷ୍ଟ୍ରର ସିରିଡିଠାରେ ଫେବୃଆରୀ 7ରୁ 9 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାରୁ 10 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନେ 8ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 2ଟି ବ୍ରୋଞ୍ଜ ପଦକ ଜିତି ଓଡିଶାକୁ ଗୌରବାନ୍ବିତ କରିଛନ୍ତି ।
ଖେଳାଳିମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏହି କ୍ଷେତ୍ରରେ ଆହୁରି ଆଗକୁ ଭଲ କାମ କରିବା ସହ ନୂତନ ପ୍ରତିଭାମାନଙ୍କୁ ଆଗକୁ ଆଣିବାକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ଏହି ଅବସରରେ ଟିମର ଉପଦେଷ୍ଟା ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ଯେ, ଏହି କ୍ରୀଡା ପ୍ରତି ଯୁବ ପିଢିଙ୍କ ଆଗ୍ରହ ବଢାଇବା ପାଇଁ ସରକାରଙ୍କ ସମେତ ସାଧାରଣ ଲୋକଙ୍କ ଭଲପାଇବା ଓ ସହଯୋଗ ଆବଶ୍ୟକ । ସେହିପରି ଟିମର ସଦସ୍ୟ ପ୍ରକାଶ ବେହେରା କହିଛନ୍ତି କି, ସେମାନେ ଏଥିରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କ ଉତ୍ସାହ ବୃଦ୍ଧି ପାଇଛି । ତେଣୁ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସେଠାରେ ଉନ୍ନତ ପ୍ରଦର୍ଶନ କରିବା ସହ ଅନ୍ତର୍ଜାତୀୟ ପ୍ରତିଯୋଗୀତାମାନଙ୍କରେ ଭାଗ ନେବାକୁ ସେ ଆଶା ରଖିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଏହି ଖେଳ ପ୍ରତି ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରୋତ୍ସାହନ ମିଳି ନଥିବାବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ଭୁବନେଶ୍ବର କିକ ବକ୍ସିଂ ଆସୋସିଏସନର ସମ୍ପାଦକ ଜିତେନ୍ଦ୍ର କୁମାର ରାଉତ କହିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ