ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ପୂର୍ବତନ ପ୍ରଶିକ୍ଷକ ସୋର୍ଡ ମାର୍ଜିନଙ୍କ ଶେଷ ଦିନର ପାଉଣା ରୋକିଲା ଜାତୀୟ କ୍ରୀଡ଼ା ପ୍ରାଧିକରଣ । ସୋର୍ଡ ମାର୍ଜିନଙ୍କ ପ୍ରଶିକ୍ଷଣରେ ଟୋକିଓ ଅଲମ୍ପିକ ଗେମ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ପହଞ୍ଚିଥିଲା । ଏହାପରେ ନିଜ ପଦବୀରୁ ଇସ୍ତଫା ଦେବାକୁ ସ୍ଥିର କରିଥିଲେ । ଇସ୍ତଫା ଦେଇ ସ୍ବଦେଶ ଫେରିଥିବା ସୋର୍ଡ ମାର୍ଜିନ 'ନୋ ଅବ୍ଜେକ୍ସନ' ସାର୍ଟିଫିକେଟ ଦେବାରେ ବିଫଳ ହୋଇଛନ୍ତି ।
ଟୁର୍ଣ୍ଣାମେଣ୍ଟ ଶେଷ ହେବାପରେ ଅଫିସିଆଲ ଲାପ୍ଟପ୍କୁ ନିଜ ସାଥିରେ ନେଇ ଚାଲି ଯାଇଛନ୍ତି ସୋର୍ଡ ମାର୍ଜିନ । ଫଳରେ ତାଙ୍କ ଶେଷ ୬ ଦିନର ପାଉଣା ବା ଦରମା ଉପରେ ରୋକ ଲଗାଇଛି ଜାତୀୟ କ୍ରୀଡ଼ା ପ୍ରାଧିକରଣ । ଦରମା ବାବଦକୁ ମାର୍ଜିନ ଆଉ ୧୮ଶହ ଡଲାର ବା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୩୪ ହଜାର ୧୦୦ ଟଙ୍କା ପାଇବାକୁ ଅଛନ୍ତି ।
ଜାତୀୟ କ୍ରୀଡ଼ା ପ୍ରାଧିକରଣ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ସୋର୍ଡ ମାର୍ଜିନଙ୍କ ପାଖରେ ଥିବା ଲାପ୍ଟପ୍ରେ ଭାରତୀୟ ମହିଳା ହକି ଦଳ ଓ ଏହାର ସଦସ୍ୟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି । ତେଣୁ ନିୟମ ମୁତାବକ ଏହି ଲାପ୍ଟପ୍ ସେ ଫେରାଇବା ନିହାତି ଆବଶ୍ୟକ ।
ଜୁଲାଇ ୩୧ ୨୦୨୧ ପର୍ଯ୍ୟନ୍ତ ସୋର୍ଡ ମାର୍ଜିନଙ୍କ ସମସ୍ତ ଡ୍ୟୁ କ୍ଲିୟର କରାଯାଇଛି । ତେବେ ଅଗଷ୍ଟ ୧ରୁ ୬ ତାରିଖ ପର୍ଯ୍ୟନ୍ତ କାମ ପାଇଁ ସେ ୧୮ଶହ ୟୁଏସ ଡଲାର ପାଇବାକୁ ଅଛନ୍ତି । ଚୁକ୍ତି ମୁତାବକ ସେ ସମସ୍ତ ଅଫିସିଆଲ ସାମଗ୍ରୀ ଫେରାଇବା ପରେ ହିଁ ଏହି ପ୍ରାପ୍ୟ ତାଙ୍କୁ ପ୍ରଦାନ କରାଯିବ । ସୋର୍ଡ ମାର୍ଜିନ ଲାପ୍ଟପ୍ ନିଜ ସାଥିରେ ନେଇ ଯାଇଥିବା ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ପଦକ୍ଷେପ ସ୍ବରୁପ ମାର୍ଜନଙ୍କ ଦରମା ଅଟକାଇ ଦିଆଯାଇଛି ।
ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ ସୋର୍ଡ ମାର୍ଜିନ । ସେ କହିଛନ୍ତି ଯେ, " ଡ୍ୟୁ କଥା କହିଲେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ମୁଁ କିଛି ଟଙ୍କା ପାଇବାକୁ ଅଛି । ବାକି ରହିଲା ଲାପଟପ୍ କଥା । ମୋର ପର୍ସନାଲ ଲାପ୍ଟପ୍ ଖରାପ ହୋଇଯିବାରୁ ମୁଁ ଅଫିସିଆଲ ଲାପଟପରେ ସବୁ କାମ କରୁଥିଲି । କିନ୍ତୁ ଏହା ମଧ୍ୟ ଖରାପ ହେବାରୁ ମୁଁ ଏହାକୁ ଠିକ୍ କରିବାକୁ ନେଦରଲାଣ୍ଡକୁ ନେଇ ଆସିଥିଲି । କିନ୍ତୁ ଏହା ସମ୍ଭବ ହୋଇ ପାରିଲା ନାହିଁ । ଏଣୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ନିକଟକୁ ଏହି ଲାପ୍ଟପ୍ କୋରିଅର କରି ଦେଇଛି । ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ ଲାପ୍ଟପ୍ ମିଳିଯିବ । ଏହାପରେ ମୁଁ ମୋର ବକେୟା ଦରମା ପାଇ ପାରିବି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ