ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାର ଅଷ୍ଟମ ଦିନରେ କୁସ୍ତିରେ ଭାରତକୁ ୩ ସ୍ବର୍ଣ୍ଣ ମିଳିଛି । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ସ୍ବର୍ଣ୍ଣ ଜିତିଥିବା ବେଳେ ଦୀପକ ପୁନିଆ ଓ ସାକ୍ଷୀ ମଲିକ ଫ୍ରିଷ୍ଟାଇଲ କୁସ୍ତିରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଭାରତର ସ୍ବର୍ଣ୍ଣ ସଂଖ୍ୟା ୯ରେ ପହଞ୍ଚିଛି ।
ସାକ୍ଷୀ ମଲିକ ମହିଳା ୬୨ କିଲୋ ବର୍ଗରେ କାନାଡାର ଆନା ଗୋଡିନେଜ ଗୋଞ୍ଜାଲେଜଙ୍କୁ ପିନ କରି ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପୂର୍ବରୁ କ୍ବାଟର ଫାଇନାଲରେ ଇଂଲଣ୍ଡର କେଲସି ବାର୍ଣ୍ଣିସ ଓ ସେମିଫାଇନାଲରେ କାମେରୁନର ବର୍ଥ ଏମିଲିନ ଇଟେନ ନଗୋଲାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଦୀପକ ପୁନିଆ ପୁରୁଷ ୮୬ କିଲୋ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ପାକିସ୍ତାନର ମହମ୍ମଦ ଇନାମଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ ଦୀପକ ।
ସେହିପରି କୁସ୍ତିରେ ଅଂଶୁ ମଲିକ ରୌପ୍ୟ, ଦିବ୍ୟା କାକରାନ ଓ ମୋହିତ ଅଗ୍ରଓ୍ବାଲ କାଂସ୍ୟ ପଦକ ଜିତିଥିଲେ । ଭାରତ ଏପର୍ଯ୍ୟନ୍ତ ମୋଟ ୯ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୮ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ସହ ମୋଟ ୨୬ଟି ପଦକ ପାଇ ୫ମ ସ୍ଥାନରେ ରହିଛି । ଭାରତୀୟ ଖେଳାଳୀଙ୍କ ଏହି ସଫଳତାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।