ହାଇଦ୍ରାବାଦ: ୨୦୨୪ରେ ଅବସର ନେଇପାରନ୍ତି ସ୍ପେନ୍ର ଲୋକପ୍ରିୟ ଟେନିସ ତାରକା ରାଫେଲ୍ ନାଦାଲ୍ । ବାରମ୍ବାର ଆହତ ସମସ୍ୟା ଦେଇ ଗତି କରୁଥିବା ନାଦାଲ ଆସନ୍ତା ବର୍ଷ ଟେନିସ ଦୁନିଆରୁ ବିଦାୟ ନେଇପାରନ୍ତି ବୋଲି ସଂକେତ ଦେଇଛନ୍ତି । କିନ୍ତୁ କେଉଁ ପ୍ରତିଯୋଗିତାରେ ତାଙ୍କର ଶେଷ ମ୍ୟାଚ୍ ଖେଳିବେ ତାହା କହିନାହାନ୍ତି । ୨୦୦୫ ପରେ ପ୍ରଥମ ଥର ପାଇଁ ସେ ଫ୍ରେଞ୍ଚ ଓପନ ଖେଳିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।
ଗୁରୁବାର ସ୍ପେନ୍ର ମଲୋର୍କାସ୍ଥିତ ତାଙ୍କର ଏକାଡେମୀରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଟେନିସ୍ରେ ନିଜ ଭବିଷ୍ୟତ ଉପରେ ଏଭଳି ସୂଚନା ଦେଇଛନ୍ତି ନାଦାଲ । ଚଳିତ ବର୍ଷ ହେବାକୁ ଥିବା ଲୋକପ୍ରିୟ ଟେନିସ ପ୍ରତିଯୋଗିତା ଫ୍ରେଞ୍ଚ ଓପନରୁ ନାଦାଲ ଓହରି ଯାଇଛନ୍ତି । ବାରମ୍ବାର ଆହତ କାରଣରୁ ସେ ଓହରିଥିବା ସ୍ବୀକାର କରିଛନ୍ତି । ଏହା କାରଣରୁ ରୋଲାନ-ଗାରୋସ୍ରେ ସେ ଖେଳିବା ସମ୍ଭବ ନୁହେଁ ବୋଲି କହିଛନ୍ତି । କେବଳ ରୋଲାନ-ଗାରୋସ୍ ନୁହେଁ, ପରବର୍ତ୍ତୀ ପ୍ରତିଯୋଗିତା ଗୁଡ଼ିକରେ ମଧ୍ୟ ସେ ଖେଳିବାକୁ ପ୍ରସ୍ତୁତ ନଥିବା କହିଛନ୍ତି । ଆହତ ସମସ୍ୟା ପାଇଁ ନିଜ ଖେଳ ଜୀବନରେ ପୁର୍ଣ୍ଣଚ୍ଛେଦ ପକାଇବାକୁ ସେ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ତେଣୁ କିଛି ସମୟ ବିରତି ନେଇ ଶରୀରକୁ ପୁଣି ଥରେ ପ୍ରସ୍ତୁତ କରିବେ ଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାପରେ ପୁଣି ଥରେ ଖେଳିବା ଆରମ୍ଭ କରିବେ ବୋଲି ସେ କହିଛନ୍ତି । ତଥାପି ଡେଭିସ୍ କପ୍ରେ ସେ ଖେଳିବାକୁ ଆଗ୍ରହ ରଖିଛନ୍ତି ଏବଂ ଏହାଦ୍ବାରା ୨୦୨୪ ପାଇଁ ସେ ପ୍ରସ୍ତୁତ ହୋଇପାରିବେ ବୋଲି କହିଛନ୍ତି । ଯଦି ସୁଯୋଗ ମିଳେ, ତେବେ ସମସ୍ତ ପ୍ରତିଯୋଗିତାଗୁଡ଼ିକୁ ସେ ଉପଭୋଗ କରିବାକୁ ଚାହୁଁଥିବା କହିଛନ୍ତି । ସେପଟେ ୨୦୨୪ ସିଜିନ ତାଙ୍କର ଶେଷ ସିଜିନ ହୋଇପାରେ ବୋଲି କହିଛନ୍ତି ସ୍ପେନିୟାର୍ଡ କାର୍ଲୋସ ।
ସୂଚନାଯୋଗ୍ୟ, ନାଦାଲ ରୋଲାନ-ଗାରୋସ୍ ଟାଇଟଲ୍କୁ ସବୁଠାରୁ ଅଧିକ ଥର ଜିତିଛନ୍ତି । ୧୪ ଥର ଏହି ଟାଇଟଲ ଜିତି ରେକର୍ଡ କରିଛନ୍ତି ନାଦାଲ । କିନ୍ତୁ ୨୦୦୫ରେ ପଦାର୍ପଣ କରିବା ପରେ ସେ ପ୍ରଥମ ଥର ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ରେ ଆମେରିକାର ମାକେଞ୍ଜି ମ୍ୟାକଡୋନାଲ୍ଡଙ୍କଠାରୁ ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହେବା ପରେ ନାଦାଲଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଏହାପରଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିପାରିନାହାନ୍ତି । ତେବେ ଆଗକୁ ଆସୁଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ନାଦାଲ ଭାଗ ନେବେ କି ନାହିଁ, ତାହା ତାଙ୍କ ଶାରୀରିକ ସ୍ଥିତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ