ମୁମ୍ବାଇ: ପ୍ରୋ କବାଡି ଲଢେଇରେ ପୁନେରି ପଲଟନକୁ ପରାସ୍ତ କରିଛି ୟୁ ମୁମ୍ବା । 33-22 ପଏଣ୍ଟରେ ମୁମ୍ବାଇରେ ଘରୋଇ ଦର୍ଶକଙ୍କ ସାମ୍ନାରେ ବାଜି ମାରିଛି ୟୁ ମୁମ୍ବା । ମୁମ୍ବାଇର ଅଭିଷେକ ସିଂହ 5 ପଏଣ୍ଟ ସହ ଷ୍ଟାର ପରର୍ଫମର ହୋଇଛନ୍ତି । ଏହାସହ ୟୁ ମୁମ୍ବାର ରୋହିତ ବଳିୟାନ, ସୁରିନ୍ଦର ସିଂହ, ସନ୍ଦିପ ନରୱାଲ ଓ କ୍ୟାପଟେନ ଫଜଲ ଆଟ୍ରାଚାଲି 4 ପଏଣ୍ଟ ଲେଖାଏଁ ଅକ୍ତିଆର କରିଥିଲେ ।
ମ୍ୟାଚ ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । 3ଥର ଉଭୟ ଦଳ ସମାନ ପଏଣ୍ଟରେ ମୁହାଁମୁହିଁ ହୋଇଥିଲେ । ତେବେ ପଏଣ୍ଟ 11-9 ଥିବାବେଳେ ୟୁ ମୁମ୍ବା ରେଡର ଅଭିଷେକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପୁନେରି ସିବିରରେ ଭୟ ଭରି ଦେଇଥିଲେ ।
ଏହାପରେ ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବ ବିସ୍ତାର କରିଥିଲା ୟୁ ମୁମ୍ବା । ପୁନେରି ପଲଟନକୁ ଅଲଆଉଟ କରି 21-12ରେ ପଏଣ୍ଟକୁ ପହଞ୍ଚାଇଥିଲେ । ତେବେ ଶେଷ ଭାଗରେ ପୁନେରି ପଲଟନ ଖେଳାଳି କିଛି ଲଢୁଆ ଖେଳ ପ୍ରଦର୍ଶନ କରି 21-17ରେ ନିୟନ୍ତ୍ରଣ କରିଥିଲେ । ମାତ୍ର ଖେଳ ଶେଷ ହେବା ବେଳକୁ ୟୁ ମୁମ୍ବା 33-22 ପଏଣ୍ଟରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ ।