ନୂଆଦିଲ୍ଲୀ: ଚୀନର ହଙ୍ଗଝୌରେ ସଦ୍ୟ ସମାପ୍ତ ହୋଇଥିବା 19ତମ ଏସୀୟ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ମୋଟ 107 ପଦକ ହାସଲ କରି ରେକର୍ଡ କରିଥିବା ଭାରତୀୟ ଆଥଲେଟ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଆଜି (ମଙ୍ଗଳବାର) ଏସୀୟ କ୍ରୀଡାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ମେଜର ଧାନଚାନ୍ଦ ଷ୍ଟାଡିୟମରେ ଅପରାହ୍ନ 4ଟା 30ରେ ଏହି କାର୍ଯ୍ୟକ୍ରମ ରହିଛି ।
ଖେଳାଳିଙ୍କଠୁ ସେମାନଙ୍କ ସଫଳତା କାହାଣୀ ଶୁଣିବା ସହିତ ଭବିଷ୍ୟତରେ ଦେଶ ପାଇଁ ଆହୁରି ଭଲ ପ୍ରଦର୍ଶନ କରିବା ସହ ପଦକ ଆଣିବାକୁ ଉତ୍ସାହିତ କରିବେ । ଏସୀୟ କ୍ରୀଡାରେ ଭାରତ ଜିତିଥିବା 107 ପଦକ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ଜାକାର୍ତ୍ତାରେ 2018 ସଂସ୍କରଣରେ ଭାରତ 70 ପଦକ ଜିତିଥିଲା । ଏଥର ପଦକ 100 ପାର କରିବା ମିଶନରେ ଥିବା ଭାରତ 107 ପଦକ ହାସଲ କରିଥିଲା । ଏହା କାର୍ଯ୍ୟକ୍ରମରେ ଏସୀୟ କ୍ରୀଡାରେ ଭାଗ ନେଇଥିବା ସମସ୍ତ ଆଥଲେଟ, ସେମାନଙ୍କ କୋଚ, ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ଅଧିକାରୀ ଓ ବିଭିନ୍ନ କ୍ରୀଡା ବିଭାଗର ଅଧିକାରୀ ଉପସ୍ଥିତ ରହିବେ ।
ଏହା ବି ପଢନ୍ତୁ...Asian Games 2023: ଐତିହାସିକ ସଫଳତା ସହ ଚତୁର୍ଥରେ ଭାରତ ଅଭିଯାନ ଶେଷ, ଏଥର ପଦକ ଶହେ ପାର
ସେପ୍ଟେମ୍ବର 23 ତାରିଖରୁ ଏହି ସମ୍ମାନଜନକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅକ୍ଟୋବର 8 ତାରିଖରେ ଏହି ପ୍ରତିଯୋଗିତା ଶେଷ ହୋଇଥିଲା । ଏସୀୟ କ୍ରୀଡ଼ାର ପରବର୍ତ୍ତୀ ସଂସ୍କରଣ ଜାପାନ ଆଇଚି-ନାଗୋୟା ସହରରେ ଅନୁଷ୍ଠିତ ହେବ । ଏହା 20ତମ ସଂସ୍କରଣ ହେବ ଯାହା 2026ରେ ଆୟୋଜିତ ହେବ । ଉଦଘାଟନୀ ଉତ୍ସବରେ ଜାପାନକୁ ଏସୀୟ କ୍ରୀଡ଼ା ମାଶାଲ, ପ୍ରଥମ ଏସୀୟ କ୍ରୀଡା ପତାକା ଓ ଓସିଏ ପତାକା ହସ୍ତାନ୍ତର କରାଯାଇଛି ।
ପ୍ରକାଶ ଥାଉକି, ସେପ୍ଟେମ୍ବର 23 ତାରିଖରୁ ଚୀନ ହଙ୍ଗଝୌରେ ଚାଲିଥିବା ସମ୍ମାନଜନକ ପ୍ରତିଯୋଗିତା ଏସୀୟ କ୍ରୀଡା ଶେଷ ହୋଇଛି । ଏଥିରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ମୋଟ 107 ରେକର୍ଡ ପଦକ ହାସଲ କରି ଭାରତୀୟ କଣ୍ଟିଜେଣ୍ଟ ଅଭିଯାନ ଶେଷ କରିଥିଲେ । ସେଥିରେ 28ଟି ସ୍ବର୍ଣ୍ଣ, 38ଟି ରୌପ୍ୟ ଓ 41ଟି ବ୍ରୋଞ୍ଜ ପଦକ ରହିଛି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ଆୟୋଜକ ଚୀନ ସର୍ବାଧିକ 379 ପଦକ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ 185 ପଦକ ସହ ଦ୍ବିତୀୟ ଓ ଦକ୍ଷିଣ କୋରିଆ 188 ପଦକ ସହ ତୃତୀୟ ସ୍ଥାନରେ ରହିଥିଲେ ।