ନୂଆଦିଲ୍ଲୀ: ଟୋକିଓ ୨୦୨୦ ପାରାଲମ୍ପିକ୍ କାଂସ୍ୟ ବିଜେତା ସରଦ କୁମାର ଅସୁସ୍ଥ । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବା ପରେ ଗତ ୫ ଦିନ ଧରି ତାଙ୍କୁ ନୀରିକ୍ଷଣରେ ରଖାଯାଇଥିଲା ।
ତେବେ ଛାତିରେ କେଉଁ କାରଣରୁ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ କାରଣ ଜାଣିବା ପାଇଁ ଏକାଧିକ ଟେଷ୍ଟ କରିଛନ୍ତି ଓ ଚିକିତ୍ସା ଜାରି ରଖିଛନ୍ତି । ଶରଦ ସାମାନ୍ୟ ସ୍ବାଭାବିକ ଅନୁଭବ କରୁଥିବା କହିଥିବାବେଳେ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ରହିଛି । ଦିନେ ଦୁଇଦିନ ମଧ୍ୟରେ ପରବର୍ତ୍ତୀ ଚିକିତ୍ସା ନେଇ ଡାକ୍ତରୀ ଟିମ କହିଥିବା ସୂଚନା ରହିଛି ।
ଟୋକିଓ ଅଲମ୍ପିକ୍ T-୪୨ ହାଇ ଜମ୍ପ୍ ଇଭେଣ୍ଟରେ ଅଗଷ୍ଟ ୩୧ରେ କାଂସ୍ୟ ପଦକ ଜିତିଥିଲେ କୁମାର । ୨୯ ବର୍ଷୀୟ ପାଟନା ଜନ୍ମିତ ଆଥଲେଟ୍ଙ୍କ ଗୋଡ ପାରାଲିସିସ୍ର ଶିକାର ହୋଇଥିଲା । ସଦ୍ୟ ସମାପ୍ତ ପାରାଲମ୍ପିକ୍ରେ ୧.୮୩ ମିଟର ଉଚ୍ଚ ଡେଇଁ କାଂସ୍ୟ ପଦକ ହାତେଇଥିଲେ କୁମାର ।
କୁମାର ଡବଲ ଏସିଆନ ପାରା ଗେମ୍ସ (୨୦୧୪ ଓ ୨୦୧୮) ଚମ୍ପିଆନ ରହିବା ସହ ୨୦୧୯ ବିଶ୍ବ ରୌପ୍ୟ ପଦକ ବିଜେତା ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ