ଚଣ୍ଡିଗଡ: ମହାନ ଭାରତୀୟ ଧାବକ ମିଲଖା ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ । PGI ହସ୍ପିଟାଲ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଭୀଷଣ ଜ୍ବର ଓ ଶରୀରର ଅକ୍ସିଜେନ ମାତ୍ରା କମ ହୋଇଯିବାରୁ ପୁଣି ମିଲଖା ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି ।
ପ୍ରଥମେ ମେ 19ରେ ସେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାଙ୍କର ପତ୍ନୀ ନିର୍ମଳ କୌର ଜୁନ 13ରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ କୋଭିଡ-19ରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।
କିମ୍ବଦନ୍ତୀ ଧାବକ ମିଲଖା ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ଅତି ସଂକଟାପନ୍ନ ରହିଛି । ଶରୀରରେ ଅକ୍ସଜେନ ମାତ୍ର କମ ହେବାପରେ ଜୁନ 3ରେ ତାଙ୍କୁ ଚଣ୍ଡିଗଡର PGIMER ହସ୍ପିଟାଲର କୋଭିଡ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ପରେ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପୁନର୍ବାର ଜ୍ବର ଓ ଅକ୍ସିଜେନ ମାତ୍ର କମ୍ ହେବାପରେ ଗୁରୁତର ହୋଇପଡିଛନ୍ତି ମିଲଖା ସିଂହ ।
ତେବେ PGI ହସ୍ପିଟାଲ ପକ୍ଷରୁ ଔପଚାରିକ ଘୋଷଣାନାମା ଜାରି କରାଯାଇନଥିଲେ ମଧ୍ୟ ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ।
"ଶୁକ୍ରବାର ମିଲଖାଙ୍କ ପାଇଁ ଏକ କଠିନ ଦିନ । ମାତ୍ର ସେ ଲଢେଇ ଜାରି ରଖିଛନ୍ତି ।" ଜଣେ ପରିବାର ସଦସ୍ୟ ଏପରି ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ