ପୁନେ: ଦେଶରେ ପ୍ରାୟ ଏକ ଦଶନ୍ଧି ଧରି କ୍ରୀଡା ପ୍ରତିଭାଙ୍କୁ ପ୍ରାରମ୍ଭରୁ ପ୍ରଶିକ୍ଷଣ ସହ ଉଲ୍ଲେଖନୀୟ ଅବଦାନ ପାଇଁ ପୁନେର 'ଆଥଲେଟ ଫାଷ୍ଟ' ସଂଗଠନ 'ଲକ୍ଷ୍ୟ'କୁ ମିଳିଲା ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର 2020 । ଆସନ୍ତାକାଲି (ଅଗଷ୍ଟ 29)ରେ ହେବାକୁ ଥିବା ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବ 2020ରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ।
ଅଣଲାଭଜନକ ସଂସ୍ଥା 'ଲକ୍ଷ୍ୟ'ର ଆରମ୍ଭ ନିଆରା ଢଙ୍ଗରେ ହୋଇଥିଲା । କଫି ପିଇବା ପାଇଁ ଏକତ୍ର ହୋଇଥିବା କିଛି କ୍ରୀଡାପ୍ରେମୀ ବର୍ଷ 2010ରେ ଏପରି ଏକ ସଂଗଠନର ପରିକଳ୍ପନା କରିଥିଲେ । ତେବେ ସମୟ କ୍ରମେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମେଡାଲ ବିଜେତା ପାଇଁ ଭାରତୀୟ ଆଥଲେଟଙ୍କୁ ଏହି ସଂଗଠନ ସମସ୍ତ ସହଯୋଗ କରିଆସୁଛି ।
ପ୍ରାୟ 8ଟି ଭିନ୍ନ ବର୍ଗରେ 100ରୁ ଅଧିକ ଖେଳାଳିଙ୍କୁ ଏହି ସଂଗଠନ ସଫଳତାର ଶିଖରରେ ପହଞ୍ଚାଇବାରେ ବିଶେଷ ଭୁମିକା ନିଭେଇଛି । ଏମାନଙ୍କ ମଧ୍ୟରେ ଅଲମ୍ପିକ ଖେଳାଳି ରାହି ସର୍ନୋବତ, ସରଥ କମଲ, ମନିକା ବାତ୍ରା ଓ ଅଶ୍ବିନୀ ବୋପାନ୍ନାଙ୍କ ଭଳି ଖେଳାଳି ରହିଛନ୍ତି ।
ଏହି ଆୱାର୍ଡ ଦୀର୍ଘ ଦିନର କଠିନ ପରିଶ୍ରମର ଫଳ । ସଂଗଠନ ପାଇଁ ଏହା ସମ୍ମାନର କଥା ବୋଲି କହିଛନ୍ତି 'ଲକ୍ଷ୍ୟ' ସଭାପତି ବିଶାଲ ଚୋରଦିଆ । ଦିନ ଥିଲା 10 ବର୍ଷ ତଳେ ଲୋକେ ବିଶ୍ବ ସ୍ତରୀୟ ଇଭେଣ୍ଟରେ ଭାରତୀୟ ଆଥଲେଟଙ୍କ ମେଡାଲ ବିଜୟ ନେଇ ପ୍ରଶ୍ନ କରୁଥିଲେ । ମାତ୍ର ଦେଶର ଖେଳାଳିଙ୍କୁ ସଠିକ ସହଯୋଗ ଓ ଦିଶା ଦେଖାଇପାରିଲେ ଏହା ବାସ୍ତବରେ ପରିଣତ ହେବ ବୋଲି ସଂଗଠନ ଆରମ୍ଭରେ ବିଶ୍ବାସ ରହିଥିଲା । ଏହି ଯାତ୍ରା ସଫଳ ଓ ସହଜ ନଥିଲା । ଅନେକ ବାଧାବିଘ୍ନ ସତ୍ତ୍ବେ କଫି ସହିତ ଚର୍ଚ୍ଚାରୁ ଏହି ଦୃଢ ନିଷ୍ପତ୍ତି ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ