ଭୁବନେଶ୍ବର: ଓଡିଆ ତାରକା ଭାରୋତ୍ତୋଳନକାରୀ ଝିଲ୍ଲୀ ଦଳ ବେହେରାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଦେଶର ପ୍ରସିଦ୍ଧ କୁସ୍ତିଯୋଦ୍ଧା ବବିତା ଫୋଗାଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଥିସହିତ ଫୁଟବଲ ଖେଳାଳି ଜବାମଣି ଟୁଡୁ ଓ ମହିଳା ହକି ଖେଳାଳି ନମିତା ଟପ୍ପୋଙ୍କୁ ସାଇଟେସନ ପ୍ରଦାନ କରାଯାଇଛି ।
ରାଜ୍ୟରେ ବିନା ସରକାରୀ ପ୍ରୋତ୍ସାହନରେ ଦିଆଯାଉଥିବା ସବୁଠାରୁ ବଡ଼ କ୍ରୀଡା ପୁରସ୍କାର ହେଉଛି ଏକଲବ୍ୟ ପୁରସ୍କାର । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ । ଏହି ପୁରସ୍କାର ବାବଦକୁ 1ଲକ୍ଷ ଟଙ୍କା, ସିଲ ଓ ମାନପତ୍ର ପ୍ରଦାନ କରାଯାଇଥାଏ । ସାଇଟେସନ ପ୍ରାପକଙ୍କୁ 50 ହଜାର ଟଙ୍କା ଓ ଅର୍ଥ ରାଶି ପ୍ରଦାନ କରାଯାଇଥାଏ ।
ଇମ୍ପାକ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 27 ତମ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଏକ ତାରକା ହୋଟେଲରେ ଆୟୋଜନ କରାଯାଇଥିଲା । କୁସ୍ତି ଯୋଦ୍ଧା ବବିତା ଫୋଗାଟ ବର୍ତ୍ତମାନ ସମାଜରେ ମହିଳାମାନେ ସେମାନଙ୍କ ସଂଘର୍ଷ ନିଜେ ଲଢ଼ିବା ସହ, ନିଜର ପରିଚୟ ସୃଷ୍ଟି କରି ପାରୁଥିବା କହିଛନ୍ତି । ଯାହାକି ଭାରତର ପ୍ରତି ମହିଳାଙ୍କ ପାଇଁ ଏକ ଭଲ ସନ୍ଦେଶ । କେବଳ ଖେଳ ନୁହେଁ ସବୁ କ୍ଷେତ୍ରରେ ମହିଳାମାନେ ନିଜ ସାଧନା ବଳରେ ଉତ୍କର୍ଷତା ହାସଲ କରିବା ସହ ଦେଶକୁ ଗୌରବାନ୍ବିତ କରୁଥିବା ବବିତା କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ