ମୁମ୍ବାଇ: ମିଲଖା ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ "ଭାଗ୍ ମିଲଖା ଭାଗ୍" ରେ ମିଲଖାଙ୍କ ଚରିତ୍ରରେ ଅଭିନୟ କରଥିବା ଅଭିନେତା ଫରହାନ ଅଖତର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କିମ୍ବଦନ୍ତୀ ଭାରତୀୟ ଆଥଲେଟ୍ଙ୍କ ଦେହାନ୍ତରେ ମର୍ମାହତ ଫରହାନ । 91 ବର୍ଷ ବୟସରେ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମହାନ ଧାବକ ମିଲଖା ସିଂହ । କୋଭିଡ-19 ସହ ଦୀର୍ଘ ଦିନର ଲଢେରେ ଶେଷରେ ସେ ହାରିଯାଇଛନ୍ତି ।
ନିଡ ଇନଷ୍ଟାଗ୍ରାମ ପେଜ୍ରେ ଫରହାନ ଏକ ଫଟୋ ସେୟାର କରିଛନ୍ତି, ଯେଉଥିରେ ଫ୍ଲାଇଙ୍ଗ୍ ଶିଖ୍ଙ୍କ ସହ ସେ ରହିଛନ୍ତି । ମିଲଖା ସିଂହଙ୍କ ମୃତ୍ୟୁ ଖବରକୁ ସେ ଗ୍ରହଣ କରିପାରୁନାହାନ୍ତି ବୋଲି କହିଛନ୍ତି ।
କିମ୍ବଦନ୍ତୀ ମିଲଖାଙ୍କ ଉଦ୍ଦେଶ୍ୟରେ ଫରହାନ ଲେଖିଛନ୍ତି, "ଜୀବନରେ କେବେବି ହାର ନ ମାନିବାର ଆତ୍ମବିଶ୍ବାସ ତୁମଠୁ ମିଳିଛି । ସତ ତ ଏହା ଯେ, ତୁମେ ସର୍ବଦା ଜୀବନ୍ତ ରହିବ, ତୁମେ ଏକ ଆଦର୍ଶର ପ୍ରତିନିଧିତ୍ବ କରିଛ, ତୁମେ ଏକ ସ୍ବପ୍ନର ପ୍ରତିନିଧିତ୍ବ କରିଛ, ତୁମେ ନିଜେ ଦେଇଥିବା କଥାକୁ ପ୍ରତିନିଧିତ୍ବ କରିଛ । ନିଷ୍ଠା, କଠିନ ପରିଶ୍ରମ ଓ ଏକାଗ୍ରତା କିପରି ଜଣେ ମଣିଷଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଏ ତୁମେ ଶିଖାଇଛ ।
"ବନ୍ଧୁ ଓ ପିତା ଭାବରେ ଯେଉଁମାନେ ତୁମକୁ ଜାଣିଛନ୍ତି, ଏହା ଆଶୀର୍ବାଦ ଥିଲା । ଯେଉଁମାନେ ନଥିଲେ, ତୁମର ସଂଘର୍ଷ ଓ ସଫଳତା କାହାଣୀ ନିରନ୍ତର ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ । ହୃଦୟର ସହ ତୁମକୁ ଭଲପାଏ ।" କିମ୍ବଦନ୍ତୀ ଆଥଲେଟ ପ୍ରତ୍ୟେକ ମଣିଷର ଜୀବନକୁ ଛୁଇଁଛନ୍ତି ବୋଲି ଫରହାନ କହିଛନ୍ତି ।
ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରାଙ୍କ ନିର୍ଦ୍ଦେଶନାରେ ମିଲଖା ସିଂହଙ୍କ ରୋମାଞ୍ଚଭରା କ୍ରୀଡା ଜୀବନକାହାଣୀ ଉପରେ ଆଧାରିତ ଫିଲ୍ମ "ଭାଗ୍ ମିଲଖା ଭାଗ୍" ପ୍ରସ୍ତୁତ ହୋଇଛି । ଶୁକ୍ରବାର ରାତି 11.30pmରେ ଚଣ୍ଡିଗଡର ଏକ ସ୍ଥାନୀୟ ହସ୍ପିଟାଲରେ ମିଲଖା ସିଂହ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା PGIMER ହସ୍ପିଟାଲ ଏନେଇ ଘୋଷଣା କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ